ଅନୁଗୋଳରେ “ବିଶ୍ଵ ମିତବ୍ୟୟିତା ଦିବସ” ପାଳିତ
ନିୟମିତ ସଞ୍ଚୟ, ସରକାରୀ ଯୋଜନା ଓ ସାଇବର ସୁରକ୍ଷା ଉପରେ ବ୍ୟାପକ ସଚେତନତା।
ଅନୁଗୋଳ, ତା. ୩୦.୧୦:- ଆର୍ଥିକ ଶୃଙ୍ଖଳା, ନିୟମିତ ସଞ୍ଚୟ ଏବଂ ଭବିଷ୍ୟତର ଆର୍ଥିକ ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଅନୁଗୋଳ ପଞ୍ଚାୟତ ସମିତି ସଭାଗୃହ ଠାରେ ‘ବିଶ୍ଵ ମିତବ୍ୟୟିତା ଦିବସ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ବିଶ୍ଵ ଭୂଷଣ ଯୋଗ ଦେଇ ପ୍ରତ୍ୟେକ ବ୍ୟକ୍ତି ନିଜ ଉପାର୍ଜିତ ଧନର କିଛି ଅଂଶକୁ ନିୟମିତ ଭାବେ ସଞ୍ଚୟ କରିବା ନିମନ୍ତେ ପ୍ରୋତ୍ସାହନ ଦେଇଥିଲେ। ଜଟିଳ ପରିସ୍ଥିତି ସମୟରେ ଏହି ସଞ୍ଚିତ ଜମା ରାଶି ଭବିଷ୍ୟତରେ ଉପଯୋଗୀ ହୋଇଥାଏ ବୋଲି ସେ କହିଥିଲେ।
ସରକାରୀ ସ୍ଵଳ୍ପ ସଞ୍ଚୟ ଯୋଜନା ଯଥା- ସୁକନ୍ୟା ସମୃଦ୍ଧି ଯୋଜନା, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ, ଜାତୀୟ ସଞ୍ଚୟ ପ୍ରମାଣ ପତ୍ର, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, ମାସିକ ଆୟ ଯୋଜନା, ରିକରିଂ ଡିପୋଜିଟ୍ ଦ୍ଵାରା ନିଜ ପରିବାରର ଆର୍ଥିକ ସ୍ଥିତି ସୁଦୃଢ଼ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ଆଜିର ଡିଜିଟାଲ ଯୁଗରେ ଓ.ଟି.ପି ଠକେଇ, ନକଲି ଆପ୍, ଅଜଣା ଲିଙ୍କ୍, ଅନଲାଇନ୍ ଗେମିଂ, ଲଟେରୀ, କ୍ରେଡିଟ୍ କାର୍ଡ ଠକେଇ ଓ ନକଲି ନିବେଶ ପ୍ରଲୋଭନ ଭଳି ସାଇବର ଠକେଇ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀ ଜଗନ୍ନାଥ ସେନାପତି, ତାଳଚେର ସ୍ଵଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ରାମଚନ୍ଦ୍ର ବିଶ୍ଵାଳ, ସାଇବର ପୋଲିସ ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନ୍ତି, ଆଇ.ଟି ଏକ୍ସପର୍ଟ ସନ୍ଧ୍ୟାରାଣୀ ସାମଲ, ଡାକଘର ବ୍ୟବସାୟ ଅଧିକାରୀ ଶ୍ରୀ ସୁଜିତ୍ କୁମାର ଦେହୁରୀଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ବରିଷ୍ଠ ନାଗରିକ ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।

