ଆକାଶର ଅଦମ୍ୟ ପ୍ରହରୀ: ୯୪ ବର୍ଷରେ ଭାରତୀୟ ବାୟୁସେନା
ନୂଆଦିଲ୍ଲୀ: ଦେଶର ଆକାଶ ସୀମାର ସୁରକ୍ଷାରେ ନିୟୋଜିତ ଭାରତୀୟ ବାୟୁସେନା ଆଜି ପାଳନ କରୁଛି ୯୪ତମ ପ୍ରତିଷ୍ଠା ଦିବସ। ୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ପ୍ରତିଷ୍ଠିତ ଏହି ବାହିନୀ ଦୀର୍ଘ ୯୪ ବର୍ଷର ଯାତ୍ରାରେ ଦେଶର ସୁରକ୍ଷା ବ୍ୟବସ୍ଥାର ଏକ ଅତ୍ୟନ୍ତ ଶକ୍ତିଶାଳୀ ସ୍ତମ୍ଭ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଛି।
ସ୍ୱାଧୀନତା ପୂର୍ବରୁ ‘ରୟାଲ ଇଣ୍ଡିଆନ୍ ଏୟାରଫୋର୍ସ’ ଭାବେ ପରିଚିତ ଥିବା ଏହି ବାହିନୀ, ୧୯୫୦ ମସିହାରେ ଭାରତ ଗଣତନ୍ତ୍ର ହେବା ପରେ ‘ଇଣ୍ଡିଆନ୍ ଏୟାରଫୋର୍ସ’ ନାମରେ ପରିଚିତ ହୋଇଥିଲା। ଦେଶର ସୁରକ୍ଷା ସହିତ ଯୁଦ୍ଧ, ଉଦ୍ଧାର ଓ ବିପର୍ଯ୍ୟୟ ପରିଚାଳନା ଭଳି କ୍ଷେତ୍ରରେ ମଧ୍ୟ ବାୟୁସେନା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସୁଛି।
ଯୁଦ୍ଧଭୂମିରୁ ଦେଶର ସୁରକ୍ଷା ପର୍ଯ୍ୟନ୍ତ
୧୯୪୭-୪୮ର କଶ୍ମୀର ଯୁଦ୍ଧ, ୧୯୬୫ ଓ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ଏବଂ ୧୯୯୯ର କାରଗିଲ୍ ଯୁଦ୍ଧରେ ବାୟୁସେନାର ଭୂମିକା ଦେଶର ସାମରିକ ଇତିହାସରେ ଉଲ୍ଲେଖନୀୟ। କାରଗିଲ୍ ଯୁଦ୍ଧ ସମୟରେ ‘ଅପରେସନ୍ ସଫେଦ ସାଗର’ ମାଧ୍ୟମରେ ବାୟୁସେନା ଶତ୍ରୁ ଠିକଣା ଉପରେ ଆକ୍ରମଣ କରି ନିଜର ଯୁଦ୍ଧକ୍ଷମତାର ପ୍ରମାଣ ଦେଇଥିଲା।
ଆଜିର ବାୟୁସେନା ଅତ୍ୟାଧୁନିକ ଲଢୁଆ ବିମାନ ଓ ପ୍ରତିରକ୍ଷା ପ୍ରଯୁକ୍ତିରେ ସମୃଦ୍ଧ। ରାଫେଲ୍, ସୁଖୋଇ-୩୦ ଏମକେଆଇ, ମିରାଜ୍-୨୦୦୦ ଓ ସ୍ୱଦେଶୀ ତେଜସ୍ ଭଳି ଲଢୁଆ ବିମାନ ସହ ଆଧୁନିକ ହେଲିକପ୍ଟର, ପରିବହନ ବିମାନ, ରାଡାର ଓ ଆକାଶ ପ୍ରତିରକ୍ଷା ବ୍ୟବସ୍ଥା ଏହାର ଶକ୍ତିକୁ ଆହୁରି ବଢ଼ାଇଛି।
ବିପର୍ଯ୍ୟୟ ସମୟରେ ମଧ୍ୟ ଆଗରେ
ବାୟୁସେନାର ଭୂମିକା କେବଳ ଯୁଦ୍ଧକ୍ଷେତ୍ରରେ ସୀମିତ ନୁହେଁ। ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ରିଲିଫ୍ ଅଭିଯାନରେ ମଧ୍ୟ ବାୟୁସେନା ଅଗ୍ରଣୀ ଭୂମିକା ନେଇଥାଏ। ଦୁର୍ଗମ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବାଠାରୁ ଆରମ୍ଭ କରି ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପହଞ୍ଚାଇବା ପର୍ଯ୍ୟନ୍ତ ଏହାର ଅବଦାନ ରହିଛି।
ଆତ୍ମନିର୍ଭର ଭାରତ ଅଭିଯାନ ସହ ସ୍ୱଦେଶୀ ଯୁଦ୍ଧ ବିମାନ ଓ ପ୍ରତିରକ୍ଷା ଉପକରଣ ଉପରେ ମଧ୍ୟ ଗୁରୁତ୍ୱ ବଢ଼ିଛି। ଏହା ଭାରତର ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେଉଛି।
‘ନଭଃ ସ୍ପୃଶଂ ଦୀପ୍ତମ୍’—ଅର୍ଥାତ୍ ‘ଗୌରବର ସହ ଆକାଶକୁ ସ୍ପର୍ଶ କର’। ଏହି ଆଦର୍ଶକୁ ସାଥୀ କରି ଦେଶର ଆକାଶସୀମାର ସୁରକ୍ଷାରେ ନିରନ୍ତର ନିୟୋଜିତ ବାୟୁଯୋଦ୍ଧାମାନଙ୍କ ସାହସ, ବଳିଦାନ ଓ ଦେଶସେବାକୁ ଆଜି ସମଗ୍ର ଦେଶ ସଲାମ ଜଣାଉଛି।
ଭାରତୀୟ ବାୟୁସେନା ଦିବସରେ ବୀର ବାୟୁଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି।
