ଜିଲ୍ଲା ସ୍ତରୀୟ ‘ ଆଙ୍ଗନ କା ଉତ୍ସବ’ ଓ ‘ପୋଷଣ ମାସ’ ପାଳିତ: ମା’ ଓ ଶିଶୁଙ୍କ କୁପୋଷଣ ଦୂରୀକରଣ ପାଇଁ ସଙ୍କଳ୍ପ

ଅନୁଗୋଳ, ୦୮.୧୦ : ବଅଁରପାଳ ଆଇସିଡିଏସ (ICDS) ଅଧୀନସ୍ଥ ତୁରଙ୍ଗ ଅଙ୍ଗନବାଡ଼ି କେନ୍ଦ୍ରଠାରେ ଗତକାଲି ଜିଲ୍ଲା ସ୍ତରୀୟ ‘ଅଙ୍ଗନ କା ଉତ୍ସବ’ ଏବଂ ‘ପୋଷଣ ମାସ’ ପାଳିତ ହୋଇଯାଇଛି। ଏହି ଜିଲ୍ଲା ସ୍ତରୀୟ ସମାରୋହରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମାନ୍ୟବର ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ମା ଓ ଶିଶୁର ପୋଷଣ ଉପରେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଉତ୍ତମ ସ୍ୱାସ୍ଥ୍ୟ , ସଠିକ୍ ପୋଷଣ ଦ୍ୱାରା ସୁସ୍ଥ, ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ବୋଲି ସେ କହିଥିଲେ। ଏହି ଅବସରରେ ମାନ୍ୟବର ଢେଙ୍କାନାଳର ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି , ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମାନ୍ୟବର ପାଲଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା , ଜିଲ୍ଲାପାଳ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତରଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମାନ୍ୟବର ସମ୍ବଲପୁର ସାଂସଦ ଶିଶୁମାନଙ୍କର ଓଜନ ଓ ଉଚ୍ଚତା ମାପି ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କ ସ୍ୱାସ୍ଥାବସ୍ଥା ବୁଝିଥିଲେ। ଏହାସହ ଶିଶୁମାନଙ୍କୁ ଫଳ ପୁସ୍ତକ ବଣ୍ଟନ କରାଯାଇଥିଲା। ଶିଶୁ ଓ ମାତୃ ମଙ୍ଗଳ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍କୃଷ୍ଟ ସେବା ପ୍ରଦାନ କରିଥିବା ଅଙ୍ଗନବାଡ଼ି କର୍ମୀ (AWW), ଅଙ୍ଗନବାଡ଼ି ସହାୟିକା (AWH), ଆଶା କର୍ମୀ (ASHA) ଏବଂ ପ୍ରାକ୍-ବିଦ୍ୟାଳୟ ଶିଶୁଙ୍କ ପିତାମାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମର ଶେଷ ଭାଗରେ ଆଇସିଡିଏସ (ICDS)ର ବିଭିନ୍ନ ଯୋଜନା ଓ କାର୍ଯ୍ୟକଳାପର ସମୀକ୍ଷା କରାଯାଇଥିଲା। ଜିଲ୍ଲାର ମା’ ଓ ଶିଶୁମାନଙ୍କ ପୋଷଣ ଏବଂ ସୁସ୍ଥ ଭବିଷ୍ୟତ ନିଶ୍ଚିତ କରିବା ପାଇଁ ଶପଥ ଗ୍ରହଣ ମଧ୍ୟ କରାଯାଇଥିଲା।

