Spread the love

**ଓଡ଼ିଶାରେ ଆଖୁ ଚାଷର ପୁନରୁଦ୍ଧାର ଓ ସମ୍ପ୍ରସାରଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ**

*ଓଡ଼ିଶାରେ ଆଖୁ ଚାଷର ସୁଦୃଢ଼ୀକରଣ: ସମୃଦ୍ଧ ଓ ସ୍ଥାୟୀ ଭବିଷ୍ୟତ ଦିଗରେ ଏକ ପଦକ୍ଷେପ- ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ*

ଭୁବନେଶ୍ୱର, ୬ ନଭେମ୍ବର ୨୦୨୬:

ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟରେ ଆଖୁ ଚାଷର ପୁନରୁଦ୍ଧାର ଓ ସମ୍ପ୍ରସାରଣ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟରେ ଆଖୁ ଚାଷର ବର୍ତ୍ତମାନର ସ୍ଥିତି, ପ୍ରମୁଖ ଆହ୍ୱାନ, ଏବଂ ଭବିଷ୍ୟତର ସମ୍ଭାବନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିସହ ଆଖୁ ଚାଷର ଜମି ପରିମାଣ, ମୋଟ ଉତ୍ପାଦନ, ଉତ୍ପାଦକତା, ଚାଷୀମାନଙ୍କ ଆର୍ଥିକ ଲାଭ-କ୍ଷତି, ଚିନି କଳଗୁଡ଼ିକର କାର୍ଯ୍ୟକ୍ଷମତା ଏବଂ ‘ଟେକ୍ନୋଲୋଜି ମିଶନ ଅନ ସୁଗାରକେନ୍ ଡେଭେଲୋପମେଣ୍ଟ’ ଓ ସମବାୟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରାଯାଇଥିଲା।

ଏହି ସମୀକ୍ଷା ବୈଠକରେ ଉନ୍ନତମାନର ବିହନ ଆଖୁର ଉପଲବ୍ଧତା ନିଶ୍ଚିତ କରିବା, ଆଧୁନିକ କୃଷି ପ୍ରଣାଳୀକୁ ପ୍ରୋତ୍ସାହିତ କରିବା, ଜଳସେଚନ ଭିତ୍ତିଭୂମିର ସମ୍ପ୍ରସାରଣ, କୃଷି ଯନ୍ତ୍ରପାତିର ବ୍ୟବହାର, ଚାଷୀ ଓ ଚିନି କଳ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ଏବଂ ଓଡ଼ିଶା ଆଖୁ ଚାଷୀ ସଂଘ ଦ୍ୱାରା ଉତ୍ଥାପିତ ଅତିରିକ୍ତ ଆର୍ଥିକ ସହାୟତା ଓ ଲାଭଦାୟକ ମୂଲ୍ୟ ପ୍ରଦାନ ସମ୍ବନ୍ଧୀୟ ଦାବିଗୁଡ଼ିକର ପରୀକ୍ଷା-ନିରୀକ୍ଷା ନେଇ ରଣନୀତି ନିର୍ଦ୍ଧାରଣ କରାଯାଇଥିଲା।

ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡଃ ପୋମା ଟୁଡୁ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ବିଭାଗୀୟ ସମନ୍ୱୟ ଏବଂ ଉଦ୍ୟୋଗୀମାନଙ୍କ ମିଳିତ ସହଯୋଗରେ ଆଖୁ ଚାଷକୁ ଅଧିକ ଲାଭଦାୟକ, ସ୍ଥାୟୀ ଏବଂ ଓଡ଼ିଶା କୃଷି ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବେ ଗଢ଼ିତୋଳିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

Leave a Reply

Your email address will not be published. Required fields are marked *