Spread the love

ଓଡ଼ିଶାରେ ଆୟୋଜିତ ହେବ ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬

ଭୁବନେଶ୍ୱର
୬ ନଭେମ୍ବର, ୨୦୨୬

ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ହେବ ‘ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬’। ରଗ୍‌ବୀ ଇଣ୍ଡିଆ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ରଗ୍‌ବୀ ଫୁଟବଲ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୪ ଓ ୧୫ ତାରିଖରେ କଳିଙ୍ଗ ଷ୍ଟାଡିୟମ୍ ଠାରେ ‘ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬’ ଆୟୋଜିତ ହେବ।

ଏହି ଅନ୍ତର୍ଜାତୀୟ ଚାମ୍ପିୟନସିପ୍‌ରେ ୧୦ଟି ଦେଶ ଯଥା ଭାରତ, ହଙ୍ଗକଙ୍ଗ ଚାଇନା, ଉଜବେକିସ୍ତାନ, ଚାଇନିଜ ତାଇପେଇ, ନେପାଳ, ଶ୍ରୀଲଙ୍କା, ମାଲେସିଆ, ଥାଇଲାଣ୍ଡ, ସିଙ୍ଗାପୁର ଓ ଜୋର୍ଡାନ ଦେଶ ଅଂଶଗ୍ରହଣ କରିବେ। ଉଭୟ ପୁରୁଷ ଓ ମହିଳା ବର୍ଗରେ ଏହି ଚାମ୍ପିୟନସିପ୍‌ ଅନୁଷ୍ଠିତ ହେବ। ୧୦ଟି ଦେଶରୁ ସର୍ବମୋଟ ୧୭ଟି ଟିମ୍ (୧୦ଟି ପୁରୁଷ ଟିମ୍ ଏବଂ ୭ଟି ମହିଳା ଟିମ୍) ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

ଭାରତ ପୁରୁଷ ଟିମ୍‌ରେ ପୁଷ୍ପେନ୍ଦର (କ୍ୟାପ୍‌ଟେନ), ରଞ୍ଜନ ରାୱତ (ଭାଇସ୍‌ କ୍ୟାପ୍‌ଟେନ), ଅଜିତ୍‌ ନିଗମ, ଅମନ୍‌, ଅରୁଣ ପ୍ରଜାପତ୍,ଭରତ କିଷାନ୍‌, ବିଦ୍ୟାଧର ମାଝୀ, ଚରଣ ହେମ୍ବ୍ରମ୍, ନମନ ଯାଦବ, ରାହୁଲ ମାଝୀ, ରୋହିତ କୁମାର, ସୁବାସ ହାଁସଦା ଆଦି କ୍ରୀଡ଼ାବିତ୍‌ ସ୍ଥାନ ପାଇଥିବା ବେଳେ ଭାରତ ମହିଳା ଟିମ୍‌ରେ ତନୁଶ୍ରୀ ଭୋଁସଲେ, ମାମାଲି ସିଂ, ଅକ୍ଷୟା ଏନ୍‌ଏସ, ଅନିତା ମୁର୍ମୁ, ଅନୁଷ୍କା ସଙ୍କପାଲ, ଦୀପାଳି ତାଠେ, ଖୁସି ଦେବୀ, କୀର୍ତ୍ତି ଯାଦବ, ଆଦିତି ସଖାରାମ୍ ଲୋନ୍ଧେ, ସଲୋନୀ କୁମାରୀ, ସମୃଦ୍ଧି କଦମ୍, ସୁମିତ୍ରା ମୁର୍ମୁ ଆଦି କ୍ରୀଡ଼ାବିତ୍‌ ସ୍ଥାନ ପାଇଛନ୍ତି।

ଭାରତ ପୁରୁଷ ଟିମ୍‌ରେ ୫ ଜଣ ଓଡ଼ିଆ କ୍ରୀଡ଼ାବିତ୍‌ (ଭରତ କିଷାନ୍‌, ବିଦ୍ୟାଧର ମାଝୀ, ଚରଣ ହେମ୍ବ୍ରମ୍,ରାହୁଲ ମାଝୀ, ସୁବାସ ହାଁସଦା) ଓ ଭାରତ ମହିଳା ଟିମ୍‌ରେ ୩ ଜଣ ଓଡ଼ିଆ କ୍ରୀଡ଼ାବିତ୍‌ (ମାମାଲି ସିଂ, ଅନିତା ମୁର୍ମୁ ଓ ସୁମିତ୍ରା ମୁର୍ମୁ) ସ୍ଥାନ ପାଇଛନ୍ତି।

ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ, ରଗ୍‌ବୀ ଇଣ୍ଡିଆ ଏବଂ ଓଡ଼ିଶା ରଗ୍‌ବୀ ଫୁଟବଲ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ‘ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬’ର ଲୋଗୋ ଉନ୍ମୋଚିତ ହୋଇଥିଲା।
ଏହି ଅନ୍ତର୍ଜାତୀୟ ଚାମ୍ପିୟନସିପ୍‌ର ଲୋଗୋରେ ଓଡ଼ିଶାର ପାରମ୍ପରିକ କଳା ‘ଝୋଟିଚିତା’କୁ ପ୍ରଦର୍ଶିତ କରାଯାଇଛି।

ଆଜିର ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ କହିଥିଲେ ଯେ, ଚଳିତ ବର୍ଷ କଳିଙ୍ଗ ଷ୍ଟାଡିୟମ୍‌ରେ ୩ ଟି ଜାତୀୟ ସ୍ତରୀୟ ରଗ୍‌ବୀ ଚାମ୍ପିୟନସିପ୍ (ସବ୍-ଜୁନିୟର ନ୍ୟାସନାଲ ରଗ୍‌ବୀ ସେଭେନ୍ସ ଚାମ୍ପିୟନସିପ୍, ଅସ୍ମିତା ରଗ୍‌ବୀ ଲିଗ୍-ନ୍ୟାସନାଲ ଏବଂ ନ୍ୟାସନାଲ ରଗ୍‌ବୀ ୧୫ ଏସ୍‌ ଚାମ୍ପିୟନସିପ୍- ଡିଭିଜନ୍‌ ୧) ଅନୁଷ୍ଠିତ ହୋଇଛି। ୨୦୧୮ ମସିହା ପରେ ଚଳିତ ବର୍ଷ ଓଡ଼ିଶାରେ ଅନ୍ତର୍ଜାତୀୟ ସ୍ତରୀୟ ରଗ୍‌ବୀ ଚାମ୍ପିୟନସିପ୍ (ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬) ଅନୁଷ୍ଠିତ ହେଉଛି। ଓଡ଼ିଶାରେ ଅନ୍ତର୍ଜାତୀୟ ସ୍ତରର ରଗ୍‌ବୀ ଚାମ୍ପିୟନସିପ୍ ଅନୁଷ୍ଠିତ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଶ୍ରୀ ପୁନିଆ କହିଛନ୍ତି।

ଭାରତୀୟ ରଗ୍‌ବୀ ଫୁଟବଲ୍‌ ୟୁନିୟନ୍‌ର ସଭାପତି ଶ୍ରୀ ରାହୁଲ ବୋଷ କହିଥିଲେ ଯେ, ଦୀର୍ଘ ୮ ବର୍ଷ ପରେ ଓଡ଼ିଶାରେ ଅନ୍ତର୍ଜାତୀୟ ରଗ୍‌ବୀ ଚାମ୍ପିୟନସିପ୍ ଆୟୋଜିତ ହେଉଛି। ରଗ୍‌ବୀର ବିକାଶ ପାଇଁ ଓଡ଼ିଶା ସରକାର ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ନିରନ୍ତର ଭାବେ ସହଯୋଗ ପ୍ରଦାନ କରିଛନ୍ତି। ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬ରେ ଭାଗ ନେଉଥିବା ସମସ୍ତ ଦେଶର ଦଳଗୁଡ଼ିକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଏହି ଅନ୍ତର୍ଜାତୀୟ ଚାମ୍ପିୟନସିପ୍‌ର ଆୟୋଜନ ଦେଶର ଅନେକ ଯୁବ କ୍ରୀଡ଼ାବିତ୍‌ଙ୍କୁ ରଗ୍‌ବୀରେ ନିଜ ଭବିଷ୍ୟତ ନିର୍ମାଣ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ବୋଷ କହିଛନ୍ତି।

ଓଡ଼ିଶାର ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ରଗ୍‌ବୀ ଚାମ୍ପିୟନସିପ୍‌ର ଆୟୋଜନ ରଗ୍‌ବୀର ବିକାଶ ଦିଗରେ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାକୁ ସୂଚିତ କରୁଛି ବୋଲି ଓଡ଼ିଶା ରଗ୍‌ବୀ ଫୁଟବଲ ଆସୋସିଏସନ୍‌ର ସଭାପତି ଶ୍ରୀ ପ୍ରିୟଦର୍ଶୀ ମିଶ୍ର କହିଛନ୍ତି।

ଆଜିର ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଡ଼ା. ୟେଦୁଲା ବିଜୟଙ୍କ ସମେତ କ୍ରୀଡ଼ା ଓ ଯୁବସେବା ବିଭାଗର ସମସ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *