Spread the love

​କାଳାହାଣ୍ଡିର ଜନମାନସର ଆରାଧଦେବୀମା’ ମାଣିକେଶ୍ୱରୀଙ୍କ ବିଶ୍ୱପ୍ରସିଦ୍ଧ ଛତ୍ରଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପନ
​/ ଭବାନୀପାଟଣା,(ଜାଗ୍ରତ ଭାରତ )୧୯-୧୦-୨୦୨୬:
କାଳାହାଣ୍ଡିର ଆଧ୍ୟାତ୍ମିକ-ସାଂସ୍କୃତିକ ପ୍ରାଣକେନ୍ଦ୍ର ତଥା ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ବିଶ୍ୱପ୍ରସିଦ୍ଧ ଛତ୍ରଯାତ୍ରା ଏକ ପ୍ରମୁଖ ଗଣପର୍ବ ଭାବେ ଆଜି ଅତ୍ୟନ୍ତ ଭକ୍ତି, ଆନନ୍ଦ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଦିବ୍ୟ ଦର୍ଶନ ଏବଂ ମା’ଙ୍କ କୃପା ଲାଭ କରିବା ପାଇଁ ଭବାନୀପାଟଣା,ସହ ରାଜ୍ୟର ବିଭିନ୍ନ ପ୍ରାନ୍ତ ଏବଂ ବାହାର ରାଜ୍ୟମାନଙ୍କରୁ ଆସିଥିବା ହଜାର ହଜାର ଭକ୍ତଙ୍କ ଏକ ବିଶାଳ ଜନସମୁଦ୍ର ଏଠାରେ ଏକାଠି ହୋଇଥିଲା। ସମଗ୍ର ସହର ମା’ଙ୍କ ଜୟକାରରେ ପ୍ରକମ୍ପିତ ହୋଇଉଠିଥିଲା।
​ଗୁପ୍ତ ନୀତିକାନ୍ତି ଏବଂ ସ୍ୱତନ୍ତ୍ର ପୂଜାର୍ଚ୍ଚନା:
ପରମ୍ପରା ଅନୁଯାୟୀ ମହାଅଷ୍ଟମୀ ରାତିରେ ମା’ଙ୍କ ଗୁପ୍ତ ନୀତି ଓ ବିଶେଷ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ଏହାପରେ ମହା ନବମୀର ପ୍ରଭାତରେ ମା’ଙ୍କ ଚଳନ୍ତି ପ୍ରତିମା ଛତ୍ରସହରର ଉପକଣ୍ଠରେ ଥିବା ଜେନା ଖାଲରୁ ବାହାର କରାଯାଇଥିଲା। ଏହି ଆଧ୍ୟାତ୍ମିକ ଶୋଭାଯାତ୍ରା ଦେଖିବା ଏବଂ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତମାନେ ସକାଳୁ ସକାଳୁ ଆସି ପହଞ୍ଚିଥିଲେ। ସମଗ୍ର ସହର
​ଜନସମୁଦ୍ର ପାଲଟିଥିଲା !
ମା’ଙ୍କ ପବିତ୍ର ଛତ୍ର ଜେନାଖାଲ ପଡ଼ା ଠାରୁ ପ୍ରାୟ ୩ କିଲୋ ମିଟର ମାଁ ମାଣିକେଶ୍ଵରୀ ଙ୍କ ମୂଳପୀଠ କୁ ପ୍ରତ୍ୟାବର୍ତନ କୁ ଛତର ଯାତ୍ରା କୁହାଯାଏ । ଏହି ସମୟରେ, ମନସ୍କାମନା ପୂର୍ଣ୍ଣ ଆଶାରେ ରାସ୍ତାର ଦୁଇ ପାର୍ଶ୍ୱରେ ହଜାର ହଜାର ଭକ୍ତ ଅପେକ୍ଷା କରି ଠିଆ ହୋଇଥିଲେ। ସମଗ୍ର ପରିବେଶ “ଜୟ ମା’ ମାଣିକେଶ୍ୱରୀ” ଧ୍ୱନିରେ ମୁଖରିତ ହୋଇଉଠିଥିଲା। ଘଣ୍ଟ, ଘଣ୍ଟା, କାହାଳୀ, କାଳସୀ ଏବଂ ଘୁମୁରା ତଥା ବାଜା ମହୁରୀ ଭଳି ପାରମ୍ପ୍ରିକ ଲୋକନୃତ୍ୟ ଏହି ଶୋଭାଯାତ୍ରାର ଗାମ୍ଭୀର୍ଯ୍ୟ ଓ ଉତ୍ସାହକୁ ଦ୍ୱିଗୁଣିତ କରିଥିଲା। ଏହି ଅବସରରେ ପ୍ରାୟ ୩୫ ଗୋଟି ସାଂସ୍କୃତିକ ଦଳଙ୍କ ମନମୁଖକର ପ୍ରଦର୍ଶନ ମାଆଙ୍କ ଛତ୍ରଯାତ୍ରାରେ ବିଶେଷ ଆକର୍ଷଣ ସାଜିଥିଲା।
​ଶାନ୍ତି, ଶୃଙ୍ଖଳା ଏବଂ ପ୍ରଶାସନିକ ବ୍ୟବସ୍ଥା:
ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବିଭିନ୍ନ ଛକମାନଙ୍କଠାରେ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ, ଯାହାଫଳରେ ଭକ୍ତମାନେ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ଦର୍ଶନ କରିପାରିଥିଲେ।
​ଚଳିତ ବର୍ଷ ଛତ୍ରଯାତ୍ରା ଉପରେ କଡ଼ା ନଜର ରଖିବା ପାଇଁ ୧୫ ପ୍ଲାଟୁନ୍ ପୋଲିସ ବଳ ଏବଂ ୯୫ ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ଆକାଶମାର୍ଗରୁ ଭିଡ଼ ଉପରେ କଡ଼ା ନଜର ରଖାଯାଇଥିଲା, ଯାହା ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିଥିଲା।
​ଚଳିତବର୍ଷ ହଜାର ହଜାର ଭକ୍ତ ମା’ଙ୍କ ଦର୍ଶନରୁ ବଞ୍ଚିତ ହୋଇ ନିରାଶ ହୋଇ ପଡ଼ିଥିଲେ! ପ୍ରଶାସନ ପକ୍ଷରୁ ବା ରାଜପରିବାର ସୂତ୍ରରୁ ଦିବା ୧୧ଘଣ୍ଟା ମଧରେ ଛତର ମନ୍ଦିରରେ ପ୍ରବେଶ ସୂଚନା ଥିଲା କିନ୍ତୁ ୭ଟା ୫୫ ମଧ୍ୟରେ ଛତର ପ୍ରବେଶ କରିଥିବା ଯୋଗୁଁ ହଜାର ହଜାର ଭକ୍ତ ନିରାଶ ହୋଇ ପଡିଥିବା ଦେଖିବାକୁ ମିଳିଥିଲା।
​–
ଭବାନୀ ପାଟଣା ରୁ ନାରାୟଣ ନାୟକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *