Spread the love

ପାର୍ବଣ ପୂର୍ବରୁ ଦରମା ନେଇ ଆଶଙ୍କାରେ ଶିକ୍ଷକ

ବିଇଓ ବିହୀନ ଭଟଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ

ଭଟଲି :- ଶିକ୍ଷା ବିଭାଗରେ ବିଭିନ୍ନ ବର୍ଗର ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ସେମାନେ ମାସିକ ଦରମା ମଧ୍ୟ ଭିନ୍ନ ଭିନ୍ନ ସୂତ୍ରରୁ ପାଇଥାନ୍ତି। ସମସ୍ତ ଶିକ୍ଷକଙ୍କ ଦରମା ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହେଉଥିଲେ ମଧ୍ୟ ଜମା ହେବାର ନିୟମ ଭିନ୍ନ ଭିନ୍ନ । କେତେକ ଶିକ୍ଷକ ସିଧାସଳଖ ଟ୍ରେଜେରି ମାଧ୍ୟମରେ ଦରମା ପାଉଛନ୍ତି । ଏକ୍ସ କ୍ୟାଡ଼ର ଶିକ୍ଷକ, କନିଷ୍ଠ ଶିକ୍ଷକ, ସାମୟିକ ଶିକ୍ଷକ ପ୍ରମୁଖ ସିଧାସଳଖ ବ୍ୟାଙ୍କ ମାଧ୍ୟମରେ ଦରମା ପାଇଥାନ୍ତି। ସରକାରଙ୍କ ଏଭଳି ନୀତି ଯୋଗୁଁ ଚଳିତ ପାର୍ବଣ ଋତୁରେ ପୂଜା ପୂର୍ବରୁ ବ୍ଲକ୍‌ର କିଛି ଶିକ୍ଷକ ଦରମା ପାଇବାରୁ ବଞ୍ଚିତ ହେବା ଆଶଙ୍କା ପ୍ରକାଶ ପାଇଛି। ବିଶେଷ କରି ଭଟଲି ବ୍ଲକ୍‌ରେ ଏହି ସମସ୍ୟା ଗୁରୁତର ହୋଇପାରେ ବୋଲି ସନ୍ଦେହ କରାଯାଉଛି। ଏକ୍ସ କ୍ୟାଡ଼ର ଶିକ୍ଷକମାନେ ଅଭିଯୋଗ କରିଛନ୍ତି ଯେ, ଭଟଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ତତ୍କାଳୀନ ଅମ୍ବାଭୋନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବନା ସାହୁ ଅତିରିକ୍ତ ଦାୟିତ୍ଵ ତୁଲାଉଥିଲେ | ମାତ୍ର ବର୍ତ୍ତମାନ ତାଙ୍କର ବରଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ବଦଳି ହୋଇଥିବାରୁ ସେ ଏହି ବ୍ଲକ୍‌ରୁ ବିଦାୟ ନେଇ ସାରିଛନ୍ତି। ଏସ୍ଏନ୍‌ଏ ସ୍ପର୍ଶ ଆକାଉଣ୍ଟ ଆରମ୍ଭ ହୋଇଥିଲେ ମଧ୍ୟ ଭଟଲି ବ୍ଲକ୍ ବିଇଓଶୂନ୍ୟ ହୋଇଥିବାରୁ ନୂଆ ବିଇଓ ଯୋଗଦାନ ନକରିବା ପର୍ଯ୍ୟନ୍ତ ଏହା ଅସମ୍ଭବ | ବର୍ତମାନ ଜିଲ୍ଲା ଶିକ୍ଷା ଅଧିକାରୀ ଦାୟିତ୍ବରେ ଥିବା ସରୋଜ ଭୁଏ ଭଟଲିରୁ ଯିବା ପରେ ତାଙ୍କ ସ୍ଥାନରେ କୌଣସି ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏଯାବତ୍ ଭଟଲିରେ ଯୋଗ ଦେଇନାହାନ୍ତି । ଏହି ବ୍ଲକ୍‌ରେ ନୂଆ ବିଇଓ ଯୋଗଦେବା ଉପରେ ଏହି ବର୍ଗର ଶିକ୍ଷକମାନଙ୍କ ଦରମା ପାଇବା ନିର୍ଭର କରେ ବୋଲି ଜଣାପଡ଼ିଛି। ତେଣୁ ଏ ଦିଗରେ ଜିଲ୍ଲା ଶିକ୍ଷା ଅଧିକାରୀ ଶୀଘ୍ର ପଦକ୍ଷେପ ନେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *