Spread the love

ବଅଁରପାଳର ୧୩ଟି ମଣ୍ଡପରେ ମା’ ମହାଲକ୍ଷ୍ମୀଙ୍କ ପୂଜା, ଭକ୍ତିମୟ ପରିବେଶରେ ଉତ୍ସବମୁଖର ଅଞ୍ଚଳ
ବଅଁରପାଳ: ଧନ, ଐଶ୍ୱର୍ଯ୍ୟ ଓ ସମୃଦ୍ଧିର ଦେବୀ ମା’ ମହାଲକ୍ଷ୍ମୀଙ୍କ ଆରାଧନାରେ ଉତ୍ସବମୁଖର ହୋଇଉଠିଛି ଅନୁଗୋଳ ଜିଲ୍ଲାର ବଅଁରପାଳ ଅଞ୍ଚଳ। ଏଠାରେ ୧୩ଟି ପୂଜା ମଣ୍ଡପରେ ମା’ ମହାଲକ୍ଷ୍ମୀଙ୍କ ପୂଜା ଧୁମ୍‌ଧାମରେ ପାଳନ କରାଯାଉଛି। ପୂଜା ମଣ୍ଡପଗୁଡ଼ିକରେ ଭକ୍ତିମୟ ପରିବେଶ ସହ ଆଧ୍ୟାତ୍ମିକ ଉତ୍ସାହ ଦେଖିବାକୁ ମିଳୁଛି।

ବଅଁରପାଳରେ ଆୟୋଜିତ ଏହି ୧୩ଟି ପୂଜାକୁ ବଅଁରପାଳ ବଣିକ ମହାସଂଘ ପକ୍ଷରୁ ପରିଚାଳନା କରାଯାଉଛି। ମା’ଙ୍କ ପୂଜାକୁ ସୁସଂଗଠିତ ଭାବେ ଆୟୋଜନ କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି।

ଟାମଡା ମାର୍କେଟ, ଶାନ୍ତି ବଜାର, ସନ୍ତ୍ରୀ ଛକ ( କ), ଡେଲି ମାର୍କେଟ, ସିଦ୍ଧେଶ୍ୱର ବଜାର, ଥାନା ଛକ, ଲକ୍ଷ୍ମୀନାରାୟଣ ବଜାର, ନୁଆ ବଜାର ସାନ୍ତ୍ରି ଛକ (ଖ), ଦୁର୍ଗା ବଜାର, ଲାଲ୍ ବାଗ ପୂଜା କମିଟି, ସନ୍ତ୍ରୀ ଛକ (ଗ), ଶୁଭା ଲକ୍ଷ୍ମୀ ପୂଜା କମିଟି ଓ ପଞ୍ଚ ଶ୍ରୀକ୍ଷେତ୍ର ପୂଜା କମିଟି ପୂଜା ମଣ୍ଡପରେ ମା ପୂଜା ପାଉଛନ୍ତି।

ଏହି ବଣିକ ମହାସଂଘ ପରିଚାଳନା କମିଟିର ସଭାପତି ଉପେନ୍ଦ୍ର ସାହୁ, ସଂପାଦକ ଅଖିଳ କୁମର ମାହାପାତ୍ର, ଉପଦେଷ୍ଟା ଖଗେଶ୍ୱର ପରିଡ଼ା ଓ କୋଷାଧ୍ୟକ୍ଷ ବିଜୟ କୁମାର ସାମଲ ପୂଜାକୁ ଶୃଙ୍ଖଳା ସହ ପରିଚାଳନା କରୁଛନ୍ତି।

ପ୍ରତିଦିନ ପୂଜା ମଣ୍ଡପଗୁଡ଼ିକରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ନପ୍ରସାଦ ବଣ୍ଟନ କରାଯାଉଛି। ଏଥିରେ ଶ୍ରଦ୍ଧାଳୁମାନେ ଯୋଗଦେଇ ମା’ଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରୁଛନ୍ତି। ପୂଜା ଅବସରରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।

ଚଳିତ ବର୍ଷ ବଅଁରପାଳରେ ମା’ ମହାଲକ୍ଷ୍ମୀଙ୍କ ପୂଜା ପ୍ରାଥମିକ ଭାବେ ୯ ଦିନ ଧରି ପାଳନ କରିବାକୁ ସ୍ଥିର କରାଯାଇଛି। ଅନୁଗୋଳ ଓ କୁଲାଡ଼ ଅଞ୍ଚଳରେ ଆୟୋଜିତ ମା’ଙ୍କ ପୂଜାକୁ ଦୃଷ୍ଟିରେ ରଖି ବଅଁରପାଳରେ ମଧ୍ୟ ୯ ଦିନିଆ ପୂଜାର ଯୋଜନା କରାଯାଇଛି। ତେବେ ଶ୍ରଦ୍ଧାଳୁଙ୍କ ଉତ୍ସାହ ଓ ପୂଜା କମିଟିଗୁଡ଼ିକର ନିଷ୍ପତ୍ତି ଅନୁଯାୟୀ ପୂଜା ଅବଧି ଆଉ ଦୁଇ ଦିନ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ମା’ ମହାଲକ୍ଷ୍ମୀଙ୍କ ପୂଜାକୁ ନେଇ ବଅଁରପାଳ ଅଞ୍ଚଳରେ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଥିବାବେଳେ ୧୩ଟି ପୂଜା ମଣ୍ଡପରେ ଚାଲିଥିବା ଧାର୍ମିକ ଓ ସାଂସ୍କୃତିକ ଆୟୋଜନ ଅଞ୍ଚଳବାସୀଙ୍କ ମଧ୍ୟରେ ଏକତା ଓ ଭାଇଚାରାର ବାର୍ତ୍ତା ଦେଉଛି।

ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ହୋଇଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ବଅଁରପାଳ କୁ ଏକ ନମ୍ବର ସେକ୍ଟର ରେ ବିଭକ୍ତ କରି ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କଟାଯାଇଛି। ପ୍ରତ୍ୟେକ ପେଣ୍ଡଲର ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଇଥିବା ବେଳେ ଡେଲି ମାର୍କେଟରେ ଥିବା ମୂର୍ତ୍ତିରେ ରୂପା ମୁକୁଟ ଲାଗିଥିବାରୁ ସୁରକ୍ଷା ଦୃଷ୍ଟିରୁ ଦୁଇ ଜଣ ପୋଲିସ ଙ୍କୁ ମୁତୟନ କଟାଯାଇଛି।

Leave a Reply

Your email address will not be published. Required fields are marked *

You missed