ବନପାଳ, ବନରକ୍ଷୀ ଓ ଅବକାରୀ କନଷ୍ଟେବଳ ପଦବୀ ପାଇଁ ଶାରୀରିକ ପରୀକ୍ଷାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ପରୀକ୍ଷାର ସ୍ୱଚ୍ଛତା, ନିରପେକ୍ଷତା ଓ ପ୍ରାର୍ଥୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା
ଭୁବନେଶ୍ୱର, ୯ ଅକ୍ଟୋବର ୨୦୨୬:
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବନପାଳ, ବନରକ୍ଷୀ ଓ ଅବକାରୀ କନଷ୍ଟେବଳ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା-୨୦୨୫ (ଦ୍ୱିତୀୟ) ଅନ୍ତର୍ଗତ ଶାରୀରିକ ମାନଦଣ୍ଡ ମାପ ଓ ଶାରୀରିକ ଦକ୍ଷତା ପରୀକ୍ଷା ଆୟୋଜନ ନିମନ୍ତେ ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ବିଭାଗର ସଚିବ, ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC)ର ଅଧ୍ୟକ୍ଷ ଉପସ୍ଥିତ ଥିବାବେଳେ, ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଭର୍ଚୁଆଲ୍ (ଆଭାଷୀ) ମାଧ୍ୟମରେ ଯୋଗଦେଇଥିଲେ । ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ବିସ୍ତୃତ ବିବରଣୀ ଉପସ୍ଥାପନ କରାଯାଇଥିଲା । ଆସନ୍ତା ୧୨ ଅକ୍ଟୋବରରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଶାରୀରିକ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମୋଟ ୪,୬୮୩ ଜଣ ଯୋଗ୍ୟ ପ୍ରାର୍ଥୀ ଏଥିରେ ଅଂଶଗ୍ରହଣ କରିବେ ।
ପରୀକ୍ଷା ପ୍ରକ୍ରିୟାକୁ ସ୍ୱଚ୍ଛ, ନିରପେକ୍ଷ, ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଉପରେ ମୁଖ୍ୟ ଶାସନ ସଚିବ ବିଶେଷ ଗୁରୁତ୍ୱାରୋପ କରିଥିଲେ । ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି, ପାନୀୟ ଜଳ, ଖାଦ୍ୟ, ଶୌଚାଳୟ, ସୁରକ୍ଷା ବ୍ୟବସ୍ଥା ଓ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବା ସହ ପ୍ରତ୍ୟେକ ପ୍ରାର୍ଥୀଙ୍କ ଶାରୀରିକ ପରୀକ୍ଷାର ଭିଡିଓଗ୍ରାଫି ଏବଂ ଆବଶ୍ୟକ ରେକର୍ଡ ସଠିକ୍ ଭାବେ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଶେଷକରି ପ୍ରାର୍ଥୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଡାକ୍ତରୀ ଦଳ, ପ୍ରାଥମିକ ଚିକିତ୍ସା ଓ ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ (ALS) ସୁବିଧାଯୁକ୍ତ ଆମ୍ବୁଲାନ୍ସ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୃକ୍ତ ଜିଲ୍ଲାପାଳମାନେ ନିଜ ଜିଲ୍ଲାର ପ୍ରସ୍ତୁତି ନିୟମିତ ସମୀକ୍ଷା କରିବା ସହ ପରୀକ୍ଷା ପରିଚାଳନାରେ ସମସ୍ତ ନିର୍ଦ୍ଧାରିତ ନିୟମାବଳୀ ପାଳନ ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦିଆଯାଇଛି
