ରୋଟାରାକ୍ଟ କ୍ଲବ ଅଫ୍ ଢେଙ୍କାନାଳ ପକ୍ଷରୁ ‘ନଷ୍ଟାଲଜିଆ ୩.୦’ ଓପନ୍ ମାଇକ୍ କାର୍ଯ୍ୟକ୍ରମ ଆୟୋଜିତ
ଢେଙ୍କାନାଳ, ୧୮ ସେପ୍ଟେମ୍ବର ୨୦୨୬: ରୋଟାରାକ୍ଟ କ୍ଲବ ଅଫ୍ ଢେଙ୍କାନାଳ ପକ୍ଷରୁ ରୋଟାରୀ ଭବନ, ଢେଙ୍କାନାଳଠାରେ ‘ନଷ୍ଟାଲଜିଆ ୩.୦’ ନାମକ ଏକ ଓପନ୍ ମାଇକ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୁବପ୍ରତିଭାମାନେ କବିତା ଆବୃତ୍ତି, ଶାୟରୀ, ଷ୍ଟାଣ୍ଡ୍-ଅପ୍ କମେଡି ଓ ସଙ୍ଗୀତ ପରିବେଷଣ ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ କଳାତ୍ମକ ଉପସ୍ଥାପନା ଓ ମନୋରଞ୍ଜନଭରା ପରିବେଶ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲା।
ଏହି ଅବସରରେ ରୋଟାରିଆନ୍ ବିନୋଦ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଶ୍ରୀମତୀ ଈଶ୍ୱରୀ ଝାୱର ଓ ଶ୍ରୀମତୀ ପୁଷ୍ପଲତା ରଥ ବିଚାରକ ଭାବେ ଯୋଗଦେଇଥିଲେ। ସେମାନେ ପ୍ରତିଯୋଗୀମାନଙ୍କର ପ୍ରତିଭା, ଉପସ୍ଥାପନା ଶୈଳୀ ଓ ସୃଜନଶୀଳତାକୁ ମୂଲ୍ୟାୟନ କରିଥିଲେ।
କାର୍ଯ୍ୟକ୍ରମକୁ ପ୍ରିୟମ୍ବଦା ସଂଚାଳନ କରିଥିଲେ। କ୍ଲବର ସଭାପତି ରୋଟାରାକ୍ଟର ପ୍ରିୟମଜିତ ରାଜ ଏବଂ ସମ୍ପାଦିକା ରୋଟାରାକ୍ଟର ଅମିଷା ନାୟକଙ୍କ ସଂଯୋଜନା ଓ ନେତୃତ୍ୱରେ କ୍ଲବର ସମସ୍ତ ସଦସ୍ୟ ଏହି ଆୟୋଜନକୁ ସଫଳ କରିବାରେ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରାଯାଇଥିଲା। ଏଥିସହ ବିଭିନ୍ନ ବର୍ଗର ବିଜେତା ଓ ଶ୍ରେଷ୍ଠ ପ୍ରଦର୍ଶନକାରୀମାନଙ୍କୁ ସେମାନଙ୍କର ଉତ୍କୃଷ୍ଟ ପ୍ରତିଭା ଓ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଥିଲା।
