Spread the love

ଭୂବନେଶ୍ବର: ସିଏମ୍ ଟ୍ରଫି-୨୦୨୫ ଲକ୍ଷ୍ୟ ଏକ, ପ୍ରତିଭା ଅନେକ। ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଗ୍ରହ କ୍ରମେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଫୁଟବଲ୍ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ୍‌ ଚାମ୍ପିଆନସିପ-୨୦୨୫ ଆୟୋଜନ କରାଯାଉଛି।

ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମଠାରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସିଏମ୍ ଟ୍ରଫି ଫୁଟବଲ ଚାମ୍ପିୟନ୍‌ସିପ୍‌-୨୦୨୫ର ଲୋଗୋ, ଟ୍ରଫି, ଜର୍ସି ଏବଂ ଆନ୍‌ଥେମ୍‌ କୁ ଉନ୍ମୋଚନ କରିଛନ୍ତି।କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ରାଜ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ଓ କ୍ରୀଡ଼ା ପ୍ରତିଭାଙ୍କୁ ବିଶ୍ୱ ସ୍ତରରେ ପହଞ୍ଚାଇବା ନିମନ୍ତେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ଲକ୍ଷ୍ୟରେ ରାଜ୍ୟରେ ପ୍ରଥମ ଥର ପାଇଁ ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ ଚାମ୍ପିଆନସିପର ଆୟୋଜନ କରାଯାଉଛି।ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ୍ ଚାମ୍ପିଆନସିପର ପ୍ରଥମ ପର୍ଯ୍ୟାୟ ଗତ ଜାନୁଆରୀ ମାସ ୧୬ ତାରିଖରୁ ଏପ୍ରିଲ ମାସ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାମାନଙ୍କରେ ରହିଥିବା ବିଭିନ୍ନ ଫୁଟବଲ କ୍ଲବ ଅଂଶଗ୍ରହଣ କରିଥିଲେ। ସର୍ବମୋଟ୍ ୨୭୧ଟି ଫୁଟବଲ୍‌ କ୍ଲବ ଏବଂ ୫ ହଜାରରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ ଏଥିରେ ଅଂଶଗ୍ରହଣ କରିଥିଲେ।ପ୍ରତିଯୋଗିତାର ଦ୍ଵିତୀୟ ପର୍ଯ୍ୟାୟ ଅର୍ଥାତ୍‌ ଜୋନାଲ୍ ସ୍ତରୀୟ ସିଏମ୍ ଟ୍ରଫି ଚାମ୍ପିୟନ୍‌ସିପ୍‌ ଆସନ୍ତା ମେ’ ୨୮ ତାରିଖରୁ ଜୁନ୍‌ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଜିଲ୍ଲା ସ୍ତରରୁ ଚୟନ ହୋଇ ଆସିଥିବା ଦଳକୁ ୪ ଗୋଟି ଜୋନ୍‌ (ଜୋନ୍‌- ସମ୍ବଲପୁର, ଭୁବନେଶ୍ୱର, କେନ୍ଦୁଝର ଏବଂ ବ୍ରହ୍ମପୁର)ରେ ବିଭକ୍ତ କରାଯାଇ ପ୍ରତିଯୋଗିତାର ଆୟୋଜନ କରାଯିବ। ଜୋନାଲ୍ ସ୍ତରୀୟ ପ୍ରତିଯୋଗିତା ସମାପ୍ତ ହେବା ପରେ ସିଏମ୍‌-ଟ୍ରଫି ଫାଇନାଲ୍‌ ମ୍ୟାଚ୍ ଅନୁଷ୍ଠିତ ହେବ।ଜିଲ୍ଲାରୁ ଜୋନାଲ୍ ଏବଂ ଜୋନାଲ୍‌ରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଏହିପରି ଭାବରେ ତିନୋଟି ପର୍ଯ୍ୟାୟରେ ଏହି ପ୍ରତିଯୋଗିତାକୁ ଆୟୋଜନ କରାଯାଉଥିବାରୁ ବାସ୍ତବରେ ତୃଣମୂଳ ସ୍ତରରୁ ଆସୁଥିବା କ୍ରୀଡ଼ାବିତମାନେ ନିଜ ପ୍ରତିଭା ପ୍ରଦର୍ଶନ ନିମନ୍ତେ ଏକ ପ୍ରକୃଷ୍ଟ ମଞ୍ଚ ପାଇପାରିବା ସହ ରାଜ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ହୋଇପାରିବ ବୋଲି କ୍ରୀଡ଼ାମନ୍ତ୍ରୀ ସୂରଜ କହିଛନ୍ତି।ଆଜି ସିଏମ୍ ଟ୍ରଫି ଚାମ୍ପିୟନ୍‌ସିପର ଲୋଗୋ, ଟ୍ରଫି, ଜର୍ସି ଓ ଆନଥେମ୍ ଉନ୍ମୋଚିତ ହୋଇଛି। କ୍ରୀଡ଼ାବିତମାନଙ୍କ ମଧ୍ୟରେ ରହିଥିବା ଅଦମ୍ୟ ଉତ୍ସାହ ଓ ଦୃଢ଼ ପ୍ରତିବଦ୍ଧତାକୁ ଆନଥେମ୍‌ରେ ଖୁବ୍ ସୁନ୍ଦର ଭାବରେ ପ୍ରଦର୍ଶିତ କରାଯାଇଛି। ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ କରିବା ନିମନ୍ତେ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାର ପ୍ରତିଟି ଗାଁ ଓ ପ୍ରତିଟି ବ୍ଲକରେ କ୍ରୀଡ଼ା ପ୍ରତିଭାର ବିକାଶ କରି ଆମ କ୍ରୀଡ଼ାବିତମାନଙ୍କୁ ବିଶ୍ୱସ୍ତରରେ ପହଂଚାଇବାର ଆମର ଏହି ଯାତ୍ରା ଆଗେଇ ଚାଲିଛି ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଫୁଟବଲ୍‌ ଆସୋସିଏସନର ସେକ୍ରେଟାରୀ ଆଶୀର୍ବାଦ ବେହେରା, ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଶର୍ମା, ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଅତିରିକ୍ତ ଶାସନ ସଚିବ ବିଜୟ କୁମାର ସ୍ୱାଇଁ, ଯୁଗ୍ମ ଶାସନ ସଚିବ ବିଜୟାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *