ସୁରକ୍ଷିତ ଶିଳ୍ପ, ସୁଦୃଢ଼ ଓଡ଼ିଶା: ଶିଳ୍ପ ସୁରକ୍ଷା କର୍ମଶାଳା ଉଦଯାପିତ
- ନିରାପଦ ଶିଳ୍ପ ପାଇଁ ପ୍ରଯୁକ୍ତି, ନବସୃଜନ ଓ ନେତୃତ୍ୱ ଉପରେ ଗୁରୁତ୍ୱ
- ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ଶିଳ୍ପ ଅଭିବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
- ଶିଳ୍ପ ସଂସ୍ଥା, ଶିକ୍ଷାବିତ୍ ଓ ଶ୍ରମ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଆହ୍ୱାନ
ଭୁବନେଶ୍ୱର, ୭ ଅକ୍ଟୋବର ୨୦୨୬: ଭୁବନେଶ୍ୱରସ୍ଥିତ କୃଷି ଭବନ ପ୍ରେକ୍ଷାଳୟରେ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧୀନସ୍ଥ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ “ସୁରକ୍ଷିତ ଶିଳ୍ପ, ସୁଦୃଢ଼ ଓଡ଼ିଶା – ପ୍ରଯୁକ୍ତି, ନବସୃଜନ ଓ ଶିଳ୍ପ ସୁରକ୍ଷାରେ ଉତ୍କର୍ଷ” ଶୀର୍ଷକ ଏକଦିବସୀୟ କର୍ମଶାଳା ସଫଳତାର ସହ ଉଦଯାପିତ ହୋଇଯାଇଛି।
ସୁରକ୍ଷା ସଂସ୍କୃତିକୁ ସୁଦୃଢ଼ କରିବା ଜରୁରୀ: ମୁଖ୍ୟ ଶାସନ ସଚିବ
ଏହି କର୍ମଶାଳାର ଉଦଯାପନୀ ଅଧିବେଶନରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଗଠନରେ ଶିଳ୍ପ ଅଭିବୃଦ୍ଧିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିଳ୍ପ କ୍ଷେତ୍ରରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ଶିଳ୍ପ ସଂସ୍ଥା, ଶିକ୍ଷାବିତ୍ ଏବଂ ଶ୍ରମ ବିଭାଗ ସମ୍ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଶ୍ରୀମତୀ ଗର୍ଗ କହିଥିଲେ, “ଶିଳ୍ପ କ୍ଷେତ୍ରରେ ଦୁର୍ଘଟଣା ଘଟିବା ସ୍ୱାଭାବିକ ବା ଅନିବାର୍ଯ୍ୟ ବୋଲି ଥିବା ମାନସିକତାରୁ ଆମକୁ ବାହାରିବାକୁ ପଡ଼ିବ। ପ୍ରତ୍ୟେକ ଆଲୋଚନା ଓ ସମୀକ୍ଷାରେ ସୁରକ୍ଷା ପ୍ରଦର୍ଶନକୁ ଏକ ଅବିଚ୍ଛେଦ୍ୟ ଅଂଶ କରିବା ଆବଶ୍ୟକ, ଯାହାଦ୍ୱାରା ଏହା ଅନ୍ୟାନ୍ୟ କାର୍ଯ୍ୟଦକ୍ଷତା ସୂଚକ ଭଳି ସମାନ ଗୁରୁତ୍ୱ ପାଇପାରିବ। ନିରନ୍ତର ଧ୍ୟାନ, ସୁଦୃଢ଼ ବ୍ୟବସ୍ଥା ଓ ସାମୂହିକ ଦାୟିତ୍ୱବୋଧ ମାଧ୍ୟମରେ ଆମେ ଏକ ନିରାପଦ ଓ ସୁଦୃଢ଼ ଶିଳ୍ପ ପରିବେଶ ଗଠନ କରିପାରିବା।”
ଉଦ୍ଘାଟନ ଓ ବୈଷୟିକ ଅଧିବେଶନ
ଏହି କର୍ମଶାଳାକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଡୋଡ୍ଡା ଭେଙ୍କଟ ସ୍ୱାମୀ ଉଦ୍ଘାଟନ କରି ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଥିଲେ।
- ପ୍ରଥମ ବୈଷୟିକ ଅଧିବେଶନ: ଲୁହା ଓ ଇସ୍ପାତ ଶିଳ୍ପ, ଆଲୁମିନିୟମ୍ ସ୍ମେଲ୍ଟିଂ ଏବଂ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରେ ଡିଜିଟାଲ୍ ଓ ପ୍ରଯୁକ୍ତିଗତ ହସ୍ତକ୍ଷେପ ମାଧ୍ୟମରେ ସୁରକ୍ଷା ବୃଦ୍ଧି ଉପରେ ଆଲୋଚନା ହୋଇଥିଲା। ଏଥିରେ ଟାଟା ଷ୍ଟିଲ୍ ଲିମିଟେଡ୍, ବେଦାନ୍ତ ଆଲୁମିନିୟମ୍ ଏବଂ ଏନ୍ଟିପିସି ଲିମିଟେଡ୍ର ବିଶେଷଜ୍ଞମାନେ ନିଜ ନିଜ ଅଭିଜ୍ଞତା ବାଣ୍ଟିଥିଲେ।
- ଦ୍ୱିତୀୟ ବୈଷୟିକ ଅଧିବେଶନ: “ନେତୃତ୍ୱ ମାଧ୍ୟମରେ ସୁଦୃଢ଼ୀକରଣ” ଉପରେ ଆଲୋକପାତ କରାଯାଇଥିଲା। ଏହି ଅଧିବେଶନରେ ଷ୍ଟାର୍ଟଅପ୍ ଓଡ଼ିଶାର ପ୍ରତିନିଧି ନୂତନ ପ୍ରଯୁକ୍ତିଗତ ସମାଧାନ ସମ୍ପର୍କରେ ଏକ ଉପସ୍ଥାପନା ପ୍ରଦାନ କରିଥିଲେ।
ପ୍ରମୁଖ ଉପସ୍ଥିତି
ଏହି କର୍ମଶାଳାରେ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଉପନିର୍ଦ୍ଦେଶକ (ସୁରକ୍ଷା) ଡଃ ଏମ୍.କେ. ପ୍ରଧାନ, ଏବଂ ସହକାରୀ ନିର୍ଦ୍ଦେଶକ (ସୁରକ୍ଷା) ଶ୍ରୀ ଅନିଲ କୁମାର ନନ୍ଦଙ୍କ ସମେତ ବହୁ ବରିଷ୍ଠ ସରକାରୀ ଅଧିକାରୀ, ଶିଳ୍ପ ପ୍ରତିନିଧି ଓ ସୁରକ୍ଷା ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।

