Spread the love

### ୟୁପି ଭୋଟର ତାଲିକାରୁ ୧.୨୭ କୋଟି ହିନ୍ଦୁଙ୍କ ନାଁ ବାଦ୍‌ ପଡ଼ିଥିବା ଯୋଗୀଙ୍କ ଦାବି, ୨୮ ନିର୍ବାଚନମଣ୍ଡଳୀରେ ବିଜେପିକୁ କ୍ଷତି ଆଶଙ୍କା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରକ୍ରିୟାରେ ବହୁ ସଂଖ୍ୟକ ହିନ୍ଦୁ ଭୋଟରଙ୍କ ନାଁ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ଅଭିଯୋଗ ଆଣିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହାକୁ ଗୁରୁତ୍ୱର ସହ ନେଇ ଦଳୀୟ କର୍ମୀମାନଙ୍କୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଉପରେ ନଜର ରଖିବାକୁ ସେ ଆହ୍ୱାନ ଦେଇଛନ୍ତି।

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଯୋଗଦେଇ ଯୋଗୀ କହିଛନ୍ତି ଯେ, ଉତ୍ତରପ୍ରଦେଶର ଭୋଟର ତାଲିକାରୁ ପ୍ରାୟ ୧.୨୭ କୋଟି ହିନ୍ଦୁଙ୍କ ନାଁ ଗାଏବ ହୋଇଛି। ଏହାର ପ୍ରଭାବ ରାଜ୍ୟର ୨୮ଟି ନିର୍ବାଚନମଣ୍ଡଳୀରେ ବିଜେପିର ରାଜନୈତିକ ସ୍ଥିତି ଉପରେ ପଡ଼ିଥିବା ସେ ଦାବି କରିଛନ୍ତି।

ରାଜ୍ୟର ଜନସଂଖ୍ୟାକୁ ନେଇ ମଧ୍ୟ ଯୋଗୀ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ମତରେ ଉତ୍ତରପ୍ରଦେଶର ଜନସଂଖ୍ୟା ପ୍ରାୟ ୧୩ କୋଟି ଦର୍ଶାଯାଉଥିବା ବେଳେ ବାସ୍ତବ ଜନସଂଖ୍ୟା ୧୬ କୋଟିରୁ ଅଧିକ ହେବା ଉଚିତ। ପଞ୍ଚାୟତ ନିର୍ବାଚନର ଭୋଟର ତାଲିକାରେ ସ୍ଥାନ ପାଇଥିବା ପ୍ରାୟ ୬୬ ଲକ୍ଷ ଲୋକଙ୍କ ନାଁ ବିଧାନସଭା ଭୋଟର ତାଲିକାରେ ନଥିବା ସେ ଉଲ୍ଲେଖ କରିଛନ୍ତି। ସେହିପରି ସରକାରୀ କଲ୍ୟାଣକାରୀ ଯୋଜନାର ପ୍ରାୟ ୫୫ ଲକ୍ଷ ହିତାଧିକାରୀଙ୍କ ନାଁ ମଧ୍ୟ ଭୋଟର ତାଲିକାରେ ନଥିବା ତାଙ୍କର ଦାବି।

ଏହା ବ୍ୟତୀତ ୧୮ରୁ ୧୯ ବର୍ଷ ବୟସର ପ୍ରାୟ ୪.୫ ଲକ୍ଷ ଯୁବ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ନେଇ ମଧ୍ୟ ଯୋଗୀ ଚିନ୍ତା ପ୍ରକାଶ କରିଛନ୍ତି। ପୂର୍ବ ଏସ୍‌ଆଇଆର୍‌ ପ୍ରକ୍ରିୟାରେ ମାତ୍ର ୪ ଲକ୍ଷ ନୂଆ ନାଁ ଯୋଡ଼ାଯାଇଥିବା ଘଟଣାକୁ ମଧ୍ୟ ସେ ଉଦ୍‌ବେଗଜନକ ବୋଲି କହିଛନ୍ତି।

ବୁଥ୍‌ସ୍ତରରେ ତଦାରଖ ପାଇଁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ

ଭୋଟର ତାଲିକାରେ କୌଣସି ଯୋଗ୍ୟ ଭୋଟରଙ୍କ ନାଁ ଯେପରି ବାଦ୍‌ ନପଡ଼େ, ସେଥିପାଇଁ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଯୋଗୀ ବିଜେପି କର୍ମୀଙ୍କୁ କହିଛନ୍ତି। ଏଥିସହ ସାଂସଦ, ବିଧାୟକ ଓ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଭୋଟର ତାଲିକାର ନିୟମିତ ସମୀକ୍ଷା କରିବା ସହ ଯୋଗ୍ୟ ଭୋଟରଙ୍କ ନାଁ ସାମିଲ ହୋଇଛି କି ନାହିଁ, ତାହା ଯାଞ୍ଚ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ, ଏସ୍‌ଆଇଆର୍‌ ପ୍ରକ୍ରିୟା ପରେ ଉତ୍ତରପ୍ରଦେଶର ଭୋଟର ତାଲିକାରୁ ୨.୦୪ କୋଟିରୁ ଅଧିକ ନାଁ ବାଦ୍‌ ପଡ଼ିଥିବା ତଥ୍ୟ ସାମ୍ନାକୁ ଆସିଛି। ଏଥିରେ ସହରାଞ୍ଚଳର ଭୋଟରଙ୍କ ସଂଖ୍ୟା ଅଧିକ ଥିବା ବେଳେ ବହୁ ସଂଖ୍ୟକ ମହିଳା ଭୋଟର ମଧ୍ୟ ପ୍ରଭାବିତ ହୋଇଛନ୍ତି। ତେବେ ଏହି ସମୟ ମଧ୍ୟରେ ୮୪ ଲକ୍ଷରୁ ଅଧିକ ନୂଆ ଭୋଟରଙ୍କ ନାଁ ତାଲିକାରେ ଯୋଡ଼ାଯାଇଛି।

ନିର୍ବାଚନ କମିସନଙ୍କ ତଥ୍ୟ ଅନୁଯାୟୀ, ସଂଶୋଧିତ ତାଲିକାରେ ଉତ୍ତରପ୍ରଦେଶର ମୋଟ ଭୋଟରଙ୍କ ସଂଖ୍ୟା ୧୩,୩୯,୮୪,୭୯୨ ରହିଛି। ଭୋଟର ତାଲିକାରେ ହିନ୍ଦୁ ଭୋଟରଙ୍କ ନାଁ ବାଦ୍‌ ପଡ଼ିବା ନେଇ ଯୋଗୀ ପୂର୍ବରୁ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ।

ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *