### ରେଡକ୍ରସ୍ ପାଣ୍ଠିରୁ ୮.୬୩ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ ଗିରଫ
ଛତ୍ରପୁର କାର୍ଯ୍ୟାଳୟରେ ଆର୍ଥିକ ଅନିୟମିତତା, ଏସ୍ବିଆଇ ଖାତାରେ ଜମା ନକରି ଅର୍ଥ ଆତ୍ମସାତ୍ ଅଭିଯୋଗ
ବ୍ରହ୍ମପୁର/ଭୁବନେଶ୍ୱର: ସରକାରୀ ରେଡକ୍ରସ୍ ପାଣ୍ଠିରୁ ୮ ଲକ୍ଷ ୬୩ ହଜାର ୨୦୦ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଜଣେ ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ (SRA)ଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଗିରଫ ଅଭିଯୁକ୍ତ ହେଉଛନ୍ତି ସଦାଶିବ ପ୍ରଧାନ। ସେ ପୂର୍ବରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟରତ ଥିବାବେଳେ ବର୍ତ୍ତମାନ ସୁରଡ଼ା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ।
ଭିଜିଲାନ୍ସ ସୂଚନା ଅନୁଯାୟୀ, ୨୦୨୩ ଡିସେମ୍ବରରୁ ୨୦୨୫ ଅଗଷ୍ଟ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିଜାରତ୍ ବିଭାଗରେ ସଂଗୃହୀତ ସରକାରୀ ଅର୍ଥ ଜମା ନହେବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଘଟଣାର ବିସ୍ତୃତ ତଦନ୍ତ ଓ ଯାଞ୍ଚ କରାଯାଇଥିଲା।
ତଦନ୍ତରୁ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ସଦାଶିବ ପ୍ରଧାନ ଉକ୍ତ କାର୍ଯ୍ୟାଳୟର ନିଜାରତ୍ ବିଭାଗର ଦାୟିତ୍ୱରେ ଥିଲେ। ତାଙ୍କ ଦାୟିତ୍ୱ ମଧ୍ୟରେ ସରକାରୀ ଅର୍ଥ ଓ ରେଡକ୍ରସ୍ ପାଣ୍ଠିର ରକ୍ଷଣାବେକ୍ଷଣ ଏବଂ ଜମା ସମ୍ପର୍କିତ କାର୍ଯ୍ୟ ରହିଥିଲା। ଏହି ସମୟ ମଧ୍ୟରେ ସେ ସରକାରୀ ରସିଦ୍ ବହି ବ୍ୟବହାର କରି ରେଡକ୍ରସ୍ ପାଣ୍ଠି ଉଦ୍ଦେଶ୍ୟରେ ମୋଟ ୮,୬୩,୨୦୦ ଟଙ୍କା ସଂଗ୍ରହ କରିଥିଲେ।
କିନ୍ତୁ ସଂଗୃହୀତ ଅର୍ଥକୁ ଛତ୍ରପୁରସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର ନିର୍ଦ୍ଦିଷ୍ଟ ସରକାରୀ ରେଡକ୍ରସ୍ ଖାତାରେ ଜମା ନକରି ବ୍ୟକ୍ତିଗତ ସ୍ୱାର୍ଥରେ ଆତ୍ମସାତ୍ କରିଥିବା ତଦନ୍ତରୁ ଜଣାପଡ଼ିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୩୧.୧୦.୨୦୨୬ ତାରିଖରେ କେସ୍ ନଂ-୧୩ ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୧୩(୨) ସହ ୧୩(୧)(a) ଏବଂ ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ର ଧାରା ୩୧୬(୫) ଅନୁଯାୟୀ ମାମଲା ରୁଜୁ ହୋଇଛି।
ଗିରଫ ସଦାଶିବ ପ୍ରଧାନଙ୍କୁ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯିବ। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଜାଗ୍ରତ ଭାରତ ନ୍ୟୁଜ୍ | ଅନୁଗୋଳ/ଓଡ଼ିଶା
