*ଅଡିଟ୍ ସପ୍ତାହ ୨୦୨୬ ଅବସରରେ ରାଜ୍ୟରେ ଥିବା ସରକାରୀ ଉଦ୍ୟୋଗଗୁଡ଼ିକରେ ସୁଶାସନ, କାର୍ଯ୍ୟଦକ୍ଷତା ଏବଂ ଉତ୍ତରଦାୟିତ୍ୱବୋଧକୁ ସୁଦୃଢ଼ କରିବା ପାଇଁ ସରକାରୀ ଉଦ୍ୟୋଗ ବିଭାଗର ପଦକ୍ଷେପ*
*ରାଜ୍ୟ ସରକାରୀ ଉଦ୍ୟୋଗଗୁଡ଼ିକର ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ପାଇଁ XIMB ଏବଂ ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ୍ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ*
ଭୁବନେଶ୍ୱର, ନଭେମ୍ବର ୨୫ ୨୦୨୬: ଅଡିଟ୍ ସପ୍ତାହ ୨୦୨୬ ପାଳନ ଅବସରରେ ଓଡ଼ିଶା ସରକାରଙ୍କ ସରକାରୀ ଉଦ୍ୟୋଗ ବିଭାଗ (Public Enterprises Department) ଏବଂ ମହାଲେଖାକାରଙ୍କ କାର୍ଯ୍ୟାଳୟ (ଅଡିଟ୍-୨), ଓଡ଼ିଶାଙ୍କ ମିଳିତ ସହଯୋଗରେ, ନଭେମ୍ବର ୨୫, ୨୦୨୬ ତାରିଖରେ ଭୁବନେଶ୍ୱରେ ଏକ ଦିନାତ୍ମକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା ।
ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଉନ୍ନୟନ କମିଶନର ତଥା ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ ଯୋଗଦେଇଥିଲେ। ଏଥିରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ କୁମାର ମିଶ୍ର, ଶ୍ରୀ କେ. ପି. ଆନନ୍ଦ, ମହାନିର୍ଦ୍ଦେଶକ (ପୂର୍ବାଞ୍ଚଳ); ଏବଂ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ପରିଚାଳନା ନିର୍ଦ୍ଦେଶକ, ଓପିଏଚ୍ ଆଣ୍ଡ ଡବ୍ଲ୍ୟୁସି (OPH&WC) ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ନିଜର ମୂଲ୍ୟବାନ ମତାମତ ରଖିଥିଲେ। ଏହା ସହିତ ପ୍ରଧାନ ମହାଲେଖାକାର (ଅଡିଟ୍-୧) ଶ୍ରୀ ସୁବୁ ଆର୍. ଏବଂ ମହାଲେଖାକାର (ଅଡିଟ୍-୨) ଶ୍ରୀ ଅତୁଲ ପ୍ରକାଶ ମଧ୍ୟ ନିଜର ଅଭିମତ ରଖିଥିଲେ। ସରକାରୀ ଉଦ୍ୟୋଗ ବିଭାଗର କମିଶନର ତଥା ଶାସନ ସଚିବ ମହମ୍ମଦ ସାଦିକ୍ ଆଲମ ଏହି ଆଲୋଚନାଚକ୍ରର ପରିକଳ୍ପନା ଓ ରୂପରେଖ ପ୍ରସ୍ତୁତ କରିବା ସହ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ ଏବଂ ପ୍ୟାନେଲ୍ ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ।
ସରକାରୀ ଉଦ୍ୟୋଗ ବିଭାଗ,ରାଜ୍ୟ ସରକାରୀ ଉଦ୍ୟୋଗ (SPSUs), ସ୍ୱୟଂଶାସିତ ସଂସ୍ଥା, ଅଡିଟ୍ ବିଶେଷଜ୍ଞ ଏବଂ ବିଷୟ ବିଶାରଦମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରି ସାଂସ୍ଥାନିକ ସୁଶାସନକୁ ସୁଦୃଢ଼ କରିବା, ସାଂଗଠନିକ କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ଏବଂ ସରକାରୀ ସଂସ୍ଥାଗୁଡ଼ିକରେ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଏହି ଆଲୋଚନାଚକ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ରାଜ୍ୟ ସରକାରୀ ଉଦ୍ୟୋଗଗୁଡ଼ିକ ପାଇଁ ନୋଡାଲ ବିଭାଗ ଭାବରେ ସରକାରୀ ଉଦ୍ୟୋଗ ବିଭାଗ ପ୍ରଭାବଶାଳୀ ତଦାରଖ, ଉତ୍ତମ କର୍ପୋରେଟ୍ ଗଭର୍ଣ୍ଣାନ୍ସ (ସୁଶାସନ), ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ସରକାରୀ ଉଦ୍ୟୋଗଗୁଡିକରେ ଆର୍ଥିକ ସ୍ଥିରତା ପାଇଁ ସାଂସ୍ଥାନିକ ଢାଞ୍ଚାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି। ସରକାରୀ ଉଦ୍ୟୋଗଗୁଡିକୁ ଦକ୍ଷ , ଉତ୍ତରଦାୟୀ ଏବଂ ବୃତ୍ତିଗତ ଭାବେ ପରିଚାଳିତ କରି ସହାୟତା ପ୍ରଦାନ କରିବା ଏହାର ବ୍ୟାପକ ଲକ୍ଷ୍ୟ, ଯାହାଫଳରେ ସରକାରୀ ସମ୍ବଳରୁ ଅଧିକ ସଫଳତା ମିଳିପାରିବ ଏବଂ ଏହା ରାଜ୍ୟର ବିକାଶମୂଳକ ଓ ଜନହିତକର କାର୍ଯ୍ୟରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେଇପାରିବ।
ଏହି ଆଲୋଚନାଚକ୍ରରେ ଜ୍ଞାନର ଆଦାନପ୍ରଦାନ ସହିତ ଦକ୍ଷତାର ବିକାଶ,ପ୍ରମୁଖ ଅଂଶୀଦାରମାନଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ମାଧ୍ୟମରେ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବାର ଉଦ୍ଦେଶ୍ୟ ରହିଥିଲା । ଉକ୍ତ ଆଲୋଚନାରେ ବିଭିନ୍ନ ବିଷୟଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥିଲା ଯଥା, ପ୍ରଭାବଶାଳୀ ବୋର୍ଡ ଏବଂ ପରିଚାଳନାର ଭୂମିକା, ରଣନୀତି ଏବଂ ଆପତକାଳିନ ତୁରନ୍ତ ନିଷ୍ପତ୍ତି ଗ୍ରହଣ, ସୁଦୃଢ଼ ଆଭ୍ୟନ୍ତରୀଣ ବ୍ୟବସ୍ଥା, କାର୍ଯ୍ୟଗତ ଦକ୍ଷତା, ବିଚକ୍ଷଣ ଆର୍ଥିକ ପରିଚାଳନା ଏବଂ ନିୟାମକର ଅନୁପାଳନ (statutory compliance),ସାଂସ୍ଥାଗତ ସମୀକ୍ଷା ଏବଂ ଅଡିଟ୍ ପର୍ଯ୍ୟବେକ୍ଷଣକୁ ସମୟସୀମା ମଧ୍ୟରେ ସମୟୋଚିତ ପଦକ୍ଷେପ ଗ୍ରହଣ, ଆଭ୍ୟନ୍ତରୀଣ ଉତ୍ତରଦାୟିତ୍ୱକୁ ସୁଦୃଢ଼ କରିବା ଏବଂ ବ୍ୟବସ୍ଥାଗତ ଦୁର୍ବଳତାର ପୁନରାବୃତ୍ତି ରୋକିବା ଇତ୍ୟାଦି ।
ଓଡ଼ିଶା ମହାଲେଖାକାରଙ୍କ କାର୍ଯ୍ୟାଳୟ ଏହି ଆଲୋଚନାରେ ଏକ ବିଶ୍ୱାସନୀୟ, ପ୍ରସଙ୍ଗିକତାପୂର୍ଣ୍ଣ ସାର୍ବଜନୀନ ଅଡିଟ୍ ଉପସ୍ଥାପନ କରିଥିଲେ, ଯେଉଁଥିରେ ସରକାରୀ ପାଣ୍ଠି ବିନିଯୋଗରେ ସ୍ୱଚ୍ଛତା, ନିର୍ଭରଯୋଗ୍ୟ ଆର୍ଥିକ ରିପୋର୍ଟିଂ, ପ୍ରଭାବଶାଳୀ ଆଭ୍ୟନ୍ତରୀଣ ନିୟନ୍ତ୍ରଣ ଏବଂ ଅଡିଟ୍ ରିପୋର୍ଟ ଉପରେ ସମୟୋଚିତ ପଦକ୍ଷେପ ଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ସହଭାଗିତା ଅଡିଟ୍ ଏବଂ ପରିଚାଳନାଗତ ବିଷୟକୁ ଏକ ସରଳ, ଗଠନମୂଳକ ସମନ୍ୱୟ ସ୍ଥାପନ କରିବାର ଉଦ୍ଦେଶ୍ୟକୁ ପ୍ରତିଫଳିତ କରେ, ଯାହାଦ୍ୱାରା ଅଡିଟ୍ ପରାମର୍ଶ ସାଂସ୍ଥାଗୁଡିକ ସଠିକ ଯାଞ୍ଚ, ଗଭୀର ପର୍ଯ୍ୟବେକ୍ଷଣ, ଉନ୍ନତ ନିଷ୍ପତ୍ତି ଗ୍ରହଣ ଏବଂ ଉତ୍ତମ ଫଳାଫଳ ପ୍ରଦାନରେ ବ୍ରତୀ ହେଇପାରିବେ ।
ଅଧିବେଶନର ଆଲୋଚନାଚକ୍ରରେ ସାଂସ୍ଥାଗୁଡିକର ସୁଦୃଢ଼ୀକରଣର ପ୍ରମୁଖ କ୍ଷେତ୍ରଗୁଡ଼ିକୁ ନେଇ ତିନୋଟି ବୈଷୟିକ ଅଧିବେଶନ (Technical Sessions) ଅନୁଷ୍ଠିତ ହୋଇଯାଇଥିଲା ଯଥା, ସୁଶାସନ ଓ ଏହାର ଅନୁପାଳନ: ବୋର୍ଡର କାର୍ଯ୍ୟଦକ୍ଷତା, ବିପଦ ପରିଚାଳନା (risk management), ଅଡିଟ୍ କମିଟି, ଆଭ୍ୟନ୍ତରୀଣ ଆର୍ଥିକ ନିୟନ୍ତ୍ରଣ ଏବଂ ଆର୍ଥିକ ବିବରଣୀର ସମୟୋଚିତ ଚୂଡ଼ାନ୍ତକରଣ, କ୍ରୟ ପ୍ରକ୍ରିୟ (Procurement) ଜନିତ ସରକାରୀ କ୍ରୟ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଏବଂ ଇ-ପ୍ରୋକ୍ୟୁରମେଣ୍ଟ ବ୍ୟବସ୍ଥାର ପ୍ରଭାବଶାଳୀ ବ୍ୟବହାର ତଥା ପ୍ରଯୁକ୍ତିବିଦ୍ୟା ଏବଂ ତଥ୍ୟ (Technology & Data)ସମ୍ବନ୍ଧୀତ ଆର୍ଥିକ ରିପୋର୍ଟିଂ, ଅଡିଟ୍ ପ୍ରସ୍ତୁତି, ବିପଦ ଚିହ୍ନଟ ଏବଂ ଆର୍ଥିକ ବ୍ୟବସ୍ଥା ଓ ସମ୍ବେଦନଶୀଳ ତଥ୍ୟର ସୁରକ୍ଷା କ୍ଷେତ୍ରରେ ସୂଚନା ପ୍ରଯୁକ୍ତିବିଦ୍ୟା (IT), ଏଣ୍ଟରପ୍ରାଇଜ୍ ରିସୋର୍ସ ପ୍ଲାନିଂ (ERP), କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ଡାଟା ଆନାଲିଟିକ୍ସର ଭୂମିକା ଆଲୋଚନା କରାଯାଇଥିଲା ।
ରାଜ୍ୟ ସରକାରୀ ଉଦ୍ୟୋଗଗୁଡ଼ିକର ପରିଚାଳନାଗତ ଏବଂ କାର୍ଯ୍ୟଗତ ଦକ୍ଷତା ବୃଦ୍ଧି ତଥା ପ୍ରଶିକ୍ଷଣ ପାଇଁ ସରକାରୀ ଉଦ୍ୟୋଗ ବିଭାଗ ପକ୍ଷରୁ ଏକ୍ସ.ଆଇ.ଏମ୍.ବି (XIMB) ଏବଂ ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ୍ (OCF) ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଏହି କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା ।
ଶେଷରେ ବକେୟା ବାର୍ଷିକ ହିସାବ ସମାପ୍ତ କରି ଅଡିଟ୍ ନିୟାମକ ପୂରଣ କରିଥିବା ଏବଂ ଠିକ୍ ସମୟରେ ହିସାବ ଶେଷ କରି ବାର୍ଷିକ ସାଧାରଣ ବୈଠକ (AGM) ଆୟୋଜନ କରିଥିବା ସଂସ୍ଥାଗୁଡ଼ିକୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା ।
ଏହି ମିଳିତ ଆଲୋଚନାଚକ୍ର ମାଧ୍ୟମରେ, ସରକାରୀ ଉଦ୍ୟୋଗ ବିଭାଗ ସରକାରୀ ଉଦ୍ୟୋଗଗୁଡିକରେ ସୁଶାସନ ପ୍ରଦାନ କରିବା ସହିତ ଏକ ଦୂରଦର୍ଶୀ ଦୃଷ୍ଟିକୋଣକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଥିଲା —ଯାହା କାର୍ଯ୍ୟଦକ୍ଷତା, ସାଂସ୍ଥାଗୁଡିକର ସାମର୍ଥ୍ୟ, ଆର୍ଥିକ ବିଚକ୍ଷଣତା ଏବଂ ଉତ୍ତରଦାୟିତ୍ୱକୁ ଏକତ୍ରିତ କରିବା ସହ ଆଲୋଚନାଚକ୍ରରେ ଅଂଶଗ୍ରହଣକାରୀ ସଂସ୍ଥାଗୁଡ଼ିକୁ ସେମାନଙ୍କର ବ୍ୟବହାରିକ ଅଭିଜ୍ଞତା ବାଣ୍ଟିବା ଏବଂ ସରକାରୀ ସମ୍ବଳର ଉତ୍ତମ ବିନିଯୋଗ ପାଇଁ ସୁଶାସନର ନୂତନ ପନ୍ଥା ନିରୂପଣ କରିବାର ସୁଚିନ୍ତନ ପ୍ରଦାନ କରିଥିଲା ।
