Spread the love

*ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୬ତମ ପ୍ରତିଷ୍ଠା ଦିବସ ପାଳିତ*

 

ଭୁବନେଶ୍ୱର, ନଭେମ୍ବର ୦୧: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୬ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ସ୍ଥିତ ପାନ୍ଥନିବାସର କଳିଙ୍ଗ କନଭେନସନ ହଲ୍ ଠାରେ ନଭେମ୍ବର ୧ ତାରିଖରେ ଉତ୍ସାହର ସହ ପାଳିତ ହୋଇଯାଇଛି।

 

ଏହି ସମାରୋହରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମହୋଦୟା , ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମହୋଦୟ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମାନ୍ୟବର ଶ୍ରୀମତୀ ବବିତା ପାତ୍ର, ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ସୋଭନା ମହାନ୍ତି ଏବଂ ଆୟୋଗର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

 

ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମହୋଦୟା ନିଜର ବକ୍ତବ୍ୟରେ ଶିଶୁମାନଙ୍କ ସୁରକ୍ଷା ଓ ଅଧିକାରକୁ ସୁନିଶ୍ଚିତ କରିବା ଆମ ସମସ୍ତଙ୍କର ମୌଳିକ ଦାୟିତ୍ୱ ବୋଲି ମତପ୍ରକାଶ କରିଥିଲେ। ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ; ତେଣୁ ସେମାନଙ୍କୁ ଏକ ନିର୍ଭୟ, ସ୍ୱଚ୍ଛ ଏବଂ ଅନୁକୂଳ ପରିବେଶ ଯୋଗାଇ ଦେବାକୁ ପଡ଼ିବ ଯେଉଁଠି ସେମାନେ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିପାରିବେ ବୋଲି ସେ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ।

 

ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମହୋଦୟ କୁନି କୁନି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିବା ସହ ସେମାନଙ୍କ ମଧ୍ୟରେ ଉତ୍ସାହ ଓ ଉଜ୍ଜ୍ୱଳତା ଭରିଦେଇଥିଲେ। ପିଲାମାନେ ନିଜର ବହୁମୂଲ୍ୟ ବୋଧ ଓ ପରିବାର ପ୍ରତି ଦାୟିତ୍ୱ ସମ୍ପୂର୍ଣ୍ଣ କରିବା ନିମନ୍ତେ ସେ ନିଜର ମତ ବ୍ୟକ୍ତ କରିଥିଲେ। “ଆସନ୍ତାକାଲିର ଭବିଷ୍ୟତ ପାଇଁ ଗୁରୁଜନମାନେ ଶିଶୁମାନଙ୍କର ଆଜିର ଦିନକୁ ନଷ୍ଟ କରନ୍ତୁ ନାହିଁ, ଶିଶୁମାନେ ସୁରକ୍ଷିତ ହୋଇ ବିଶ୍ୱ ଦରବାରରେ ନିଜର ପ୍ରତିଭାକୁ ବିକଶିତ କରନ୍ତୁ” ବୋଲି ସେ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ।

ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ମହୋଦୟା ଦାୟିତ୍ୱ ନେବା ପରେ ପ୍ରଥମ ବର୍ଷ ‘ବାତ୍ସଲ୍ୟ’ ଓ ଦ୍ୱିତୀୟ ବର୍ଷ ‘ଆଦ୍ୟାଶା’ କାର୍ଯ୍ୟକ୍ରମ କରିଥିବା କଥା ପ୍ରକାଶ କରିଥିଲେ। ଏବର୍ଷ ୧୬ତମ ପ୍ରତିଷ୍ଠା ଦିବସରେ ଏହି ଆୟୋଗ ଏକ ସତର୍କ ପ୍ରହରୀ ଭଳି ଶିଶୁମାନଙ୍କ ଭାବନାକୁ ଗୁରୁତ୍ୱ ଦେଇ ସେମାନଙ୍କ ଅଧିକାର ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ଉପରେ ଆଲୋକପାତ କରିଥିଲେ।

 

ଏହି ଅବସରରେ ପିଲାଙ୍କ ମଧ୍ୟରେ ସୃଜନଶୀଳତାକୁ ଅଭିବ୍ୟକ୍ତି କରିବା ପାଇଁ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। “ଆଦ୍ୟାଶା – ଶୈଶବର ଆଶା, ଭବିଷ୍ୟତର ଭାଷା” ଶୀର୍ଷକ ଆଲୋଚନା ଓ ବିଚାର ବିମର୍ଶରେ ଶିଶୁମାନଙ୍କ ସ୍ୱପ୍ନ ଓ ଆଶାକୁ ସାକାର ତଥା ସୁଦୃଢ଼ କରିବା ନିମନ୍ତେ ଏକ ଅନୁକୂଳ ଓ ଫଳପ୍ରଦ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ମୁକ୍ତ ମତ ରଖିବା ପାଇଁ— ଅନଲାଇନ୍ ସୁରକ୍ଷା, ଶିକ୍ଷା, ବାଲ୍ୟ ବିବାହ ଏବଂ ପରିବାର ଭିତ୍ତିକ ଯତ୍ନ, ଏହି ଚାରୋଟି ପ୍ରମୁଖ ବିଷୟ ଉପରେ ଛାତ୍ରଛାତ୍ରୀମାନେ ନିଜର ମତ ଲିଖିତ ଆକାରରେ ଉପସ୍ଥାପନା କରିଥିଲେ, ଯାହା ଏକ ଖୁବ୍ ଉତ୍ସାହପ୍ରଦ ଓ ଆନନ୍ଦଦାୟକ ଅନୁଭୂତି ଥିଲା।

କାର୍ଯ୍ୟକ୍ରମରେ ପିଲାମାନଙ୍କୁ ଜରୁରୀକାଳୀନ ସୁରକ୍ଷା ସହାୟକ ନମ୍ବର ‘1098’ ଏବଂ ଶିଶୁ ଅଧିକାର ସୁରକ୍ଷା ସହାୟକ ନମ୍ବର ‘18003454494’ ସମ୍ବନ୍ଧରେ ଅବଗତ କରାଯାଇ ଏହାର ବହୁଳ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

You missed