Spread the love

### ଗୃହ ନିର୍ମାଣ ଅନୁମତି ପ୍ରଦାନରେ ବିଳମ୍ବ ହେଲେ କାର୍ଯ୍ୟାନୁଷ୍ଠାନ: ACS ଉଷା ପାଢ଼ୀ

ଅନୁମତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ | SUJOG ପ୍ଲାଟଫର୍ମରେ ହେବ ଡିଜିଟାଲ୍ ମନିଟରିଂ

ଭୁବନେଶ୍ୱର: ଗୃହ ନିର୍ମାଣ ଅନୁମତି ପ୍ରଦାନ ପ୍ରକ୍ରିୟାରେ ଅନାବଶ୍ୟକ ବିଳମ୍ବକୁ ରୋକିବା ସହ ଏହାକୁ ଅଧିକ ସରଳ, ସ୍ୱଚ୍ଛ ଓ ତ୍ୱରିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏଣିକି ଗୃହ ନିର୍ମାଣ ଅନୁମତି ପ୍ରଦାନରେ ଅଯଥା ବିଳମ୍ବ କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ (ACS) ଉଷା ପାଢ଼ୀ।

ଗୃହ ନିର୍ମାଣ ଅନୁମତି ସମ୍ପର୍କିତ କାର୍ଯ୍ୟର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମୀକ୍ଷା କରିବା ପାଇଁ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ସେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଗୃହ ନିର୍ମାଣ ଅନୁମତି ପାଇଁ ଆସୁଥିବା ଆବେଦନଗୁଡ଼ିକର ଯାଞ୍ଚ, ଅନୁମୋଦନ ଏବଂ ଫାଇଲ୍ ନିଷ୍ପତ୍ତି ପ୍ରକ୍ରିୟାରେ ହେଉଥିବା ବିଳମ୍ବ ଉପରେ ଆଲୋଚନା ହୋଇଥିଲା। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନଗୁଡ଼ିକର ଫଇସଲା କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। କୌଣସି ଯୁକ୍ତିଯୁକ୍ତ କାରଣ ନଥାଇ ଆବେଦନକୁ ଦୀର୍ଘଦିନ ଧରି ପକାଇ ରଖିଲେ ସମ୍ପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ ବୋଲି ACS ସ୍ପଷ୍ଟ କରିଛନ୍ତି।

ଏଥିସହ ଗୃହ ନିର୍ମାଣ ଅନୁମତି ପ୍ରଦାନ ବ୍ୟବସ୍ଥାରେ ଅଧିକ ସ୍ୱଚ୍ଛତା ଆଣିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଆବେଦନକାରୀମାନେ ଯେପରି ନିଜ ଆବେଦନର ସ୍ଥିତି ଏବଂ କେଉଁ ସ୍ତରରେ ଫାଇଲ୍ ରହିଛି, ସେ ସମ୍ପର୍କରେ ସହଜରେ ଜାଣିପାରିବେ, ସେଥିପାଇଁ ଡିଜିଟାଲ୍ ଫାଇଲ୍ ଟ୍ରାକିଂ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବାକୁ ନିର୍ଦ୍ଦେଶ ରହିଛି।

ସେହିପରି SUJOG ଡିଜିଟାଲ୍ ପ୍ଲାଟଫର୍ମରେ ଅନୁମତି ପ୍ରଦାନ ପ୍ରକ୍ରିୟାର ନିୟମିତ ମନିଟରିଂ ଓ ଉତ୍ତରଦାୟିତ୍ୱ ବ୍ୟବସ୍ଥାକୁ ସାମିଲ କରିବା ଉପରେ ACS ଗୁରୁତ୍ୱାରୋପ କରିଛନ୍ତି। ଏହାଦ୍ୱାରା ଆବେଦନରୁ ଆରମ୍ଭ କରି ଅନୁମୋଦନ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟର କାର୍ଯ୍ୟଧାରା ଡିଜିଟାଲ୍ ମାଧ୍ୟମରେ ନଜରରେ ରହିପାରିବ।

ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଗୃହ ନିର୍ମାଣ ଅନୁମତି ପାଇଁ ସାଧାରଣ ଲୋକଙ୍କୁ ଦୀର୍ଘଦିନ ଧରି ସରକାରୀ କାର୍ଯ୍ୟାଳୟ ଦୌଡ଼ିବାକୁ ପଡ଼ିବ ନାହିଁ ଏବଂ ଅନୁମତି ପ୍ରକ୍ରିୟା ଅଧିକ ସମୟୋପଯୋଗୀ ହେବ ବୋଲି ଆଶା କରାଯାଉଛି। ଏଥିସହ ପ୍ରଶାସନିକ କାର୍ଯ୍ୟରେ ସ୍ୱଚ୍ଛତା ବୃଦ୍ଧି ଓ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

Leave a Reply

Your email address will not be published. Required fields are marked *