Spread the love

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଶିଶୁ ଦିବସ-୨୦୨୬ ପାଳିତ

ଢେଙ୍କାନାଳ: ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାରଙ୍କ ଅଧୀନସ୍ଥ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶିଶୁ ଦିବସ-୨୦୨୬ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି।

ଏହି ଅବସରରେ ବିଜ୍ଞାନ କିଟ୍ ନିର୍ମାଣ କର୍ମଶାଳା, ବିଜ୍ଞାନ ଗ୍ୟାଲେରୀଗୁଡ଼ିକର ମାର୍ଗଦର୍ଶିତ ପରିଦର୍ଶନ, ପୁରସ୍କାର ବିତରଣ ସମାରୋହ ଏବଂ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମହାକାଶ ପର୍ଯ୍ୟବେକ୍ଷଣ ଭଳି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଶ୍ରୀ ଏମ୍.ଏମ୍. ରାଉତ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିବା ସହ ନିକଟରେ ଆୟୋଜିତ ସତର୍କତା ସଚେତନତା ସପ୍ତାହ–୨୦୨୬ ଏବଂ ଶାନ୍ତି ଓ ବିକାଶ ପାଇଁ ବିଶ୍ୱ ବିଜ୍ଞାନ ଦିବସ–୨୦୨୬ ଅବସରରେ କେନ୍ଦ୍ର ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରିଥିଲେ। ନିଜ ଅଭିଭାଷଣରେ ସେ ଶିଶୁମାନଙ୍କ ମଧ୍ୟରେ ବିଜ୍ଞାନମନସ୍କତା, ସୃଜନଶୀଳତା ଓ ଅନୁସନ୍ଧିତ୍ସୁ ମନୋଭାବର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଶିଶୁମାନଙ୍କୁ ଜିଜ୍ଞାସୁ ମନୋଭାବ ରଖିବା ସହ ବିଜ୍ଞାନକୁ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନରଖି ପ୍ରତ୍ୟକ୍ଷ ଅନୁଭୂତି ଓ ପରୀକ୍ଷଣ ମାଧ୍ୟମରେ ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ସେ ଶିଶୁମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା ଓ ନୂତନ ଉଦ୍ଭାବନ ପ୍ରତି ଆଗ୍ରହ ବିକଶିତ କରିବାରେ ବିଜ୍ଞାନ କେନ୍ଦ୍ରର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ।

ଶିଶୁମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା, ନୂତନ ଜ୍ଞାନ ଆହରଣ ସହିତ ହାତକଳା ଓ ପ୍ରୟୋଗ ମାଧ୍ୟମରେ ଶିଖିବାର ସୁଯୋଗ ପ୍ରଦାନ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

କାର୍ଯ୍ୟକ୍ରମର ସଂଯୋଜନା ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଶିକ୍ଷା ସହାୟକ ଶ୍ରୀ ଶଙ୍କର ଗୁରୁଙ୍ଗ କରିଥିବା ବେଳେ ଶେଷରେ ସେ ଧନ୍ୟବାଦ ଅର୍ପଣ କରିଥିଲେ।

 

Leave a Reply

Your email address will not be published. Required fields are marked *