ଦୀପାବଳିରେ ଦେଶବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ, ୮/୧୧: ଆଲୋକର ପର୍ବ ଦୀପାବଳି ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୀପାବଳିର ପୂର୍ବ ସନ୍ଧ୍ୟାରେ ଏକ ଶୁଭେଚ୍ଛା ବାର୍ତ୍ତା ଜରିଆରେ ସେ ଦେଶବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି।
ରାଷ୍ଟ୍ରପତି କହିଛନ୍ତି ଯେ, ଦୀପାବଳି କେବଳ ଆଲୋକର ପର୍ବ ନୁହେଁ, ଏହା ଅସତ୍ ଉପରେ ସତ୍ୟର, ଅନ୍ଧକାର ଉପରେ ଆଲୋକର ଏବଂ ଖରାପ ପ୍ରବୃତ୍ତି ଉପରେ ଉତ୍ତମ ସଂସ୍କାରର ବିଜୟର ପ୍ରତୀକ। ପ୍ରଭୁ ଶ୍ରୀରାମ ରାବଣକୁ ପରାସ୍ତ କରି ଅଯୋଧ୍ୟା ଫେରିବା ପରେ ଦୀପମାଳା ଜାଳି ତାଙ୍କୁ ସ୍ୱାଗତ କରାଯାଇଥିବାର ଲୋକବିଶ୍ୱାସ ଏହି ପର୍ବର ସାଂସ୍କୃତିକ ଓ ଧାର୍ମିକ ଆଧାର।
ଏହି ପର୍ବ ରାମରାଜ୍ୟର ଶୁଭାରମ୍ଭର ପ୍ରତୀକ ହେବା ସହ ଜୀବନରୁ ସମସ୍ତ ଦୁଃଖ ଓ କଷ୍ଟ ଦୂର ହୋଇ ସୁଖମୟ ଜୀବନ ଆରମ୍ଭ ହେବାର ଆଶା ଜାଗ୍ରତ କରେ। ଦୀପାବଳିରେ ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶ ଓ ଧନ, ଐଶ୍ୱର୍ଯ୍ୟ ତଥା ସମୃଦ୍ଧିର ଦେବୀ ମା’ ମହାଲକ୍ଷ୍ମୀଙ୍କ ଆରାଧନା କରାଯାଇ ସମସ୍ତଙ୍କ ମଙ୍ଗଳ କାମନା କରାଯାଏ।
ରାଷ୍ଟ୍ରପତି ଆହୁରି କାମନା କରିଛନ୍ତି ଯେ, ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନ ସୁସ୍ଥତା, ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ପରିବେଶର ସୁରକ୍ଷା ସହ ସାମାଜିକ ସଦ୍ଭାବ, ଏକତା ଓ ଭାଇଚାରାର ଭାବନା ଅଧିକ ସୁଦୃଢ଼ ହେଉ।
ଦେଶପ୍ରେମରେ ଅନୁପ୍ରାଣିତ ଯୁବପିଢ଼ି ଆଦର୍ଶ ଭାରତୀୟ ମୂଲ୍ୟବୋଧକୁ ଆଧାର କରି ବିକଶିତ ଭାରତ ଗଠନରେ ଉତ୍ସାହର ସହ ଯୋଗଦାନ କରନ୍ତୁ ବୋଲି ସେ ନିଜ ବାର୍ତ୍ତାରେ ଆଶା ପ୍ରକାଶ କରିଛନ୍ତି।
