ଦୁଇ ଦଫା ଦାବି ନେଇ ନାଲକୋ ପ୍ରଶାସନ ଭବନ ସମ୍ମୁଖରେ ଆଲୁମିନିୟମ ମଜଦୁର ସଂଘର ଗଣଧାରଣା
ନାଲକୋନଗର: ଦୁଇ ଦଫା ଦାବି ପୂରଣ ନେଇ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟର ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ଆଲୁମିନିୟମ ମଜଦୁର ସଂଘ ପକ୍ଷରୁ ପ୍ରଶାସନିକ ଭବନ ସମ୍ମୁଖରେ ବିଶାଳ ଗଣଧାରଣା ଦିଆଯାଇଛି। ଏହି ଧାରଣାରେ ସ୍ମେଲ୍ଟର ପ୍ଲାଣ୍ଟର ଶତାଧିକ କର୍ମଚାରୀ ଯୋଗଦେଇ ଦାବିଗୁଡ଼ିକ ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।
ସଂଘର ମୁଖ୍ୟ ଦାବି ମଧ୍ୟରେ ନନ୍-ଏକ୍ଜିକ୍ୟୁଟିଭ୍ କର୍ମଚାରୀଙ୍କ ପାଇଁ ମଲ୍ଟି-ସ୍ପେଶାଲିଟି ଏମ୍ପାନେଲ୍ଡ ହସ୍ପିଟାଲରେ ସିଙ୍ଗଲ୍-ବେଡ୍ ଏସି କ୍ୟାବିନ୍ ସୁବିଧା ପୁନଃ ପ୍ରଚଳନ ଏବଂ ସ୍ମେଲ୍ଟର ପ୍ଲାଣ୍ଟ କ୍ୟାଣ୍ଟିନରେ ନନ୍-ଭେଜ୍ ଖାଦ୍ୟ ସହ ରାତ୍ରି ଭୋଜନ ବ୍ୟବସ୍ଥା କରିବା ଅନ୍ତର୍ଭୁକ୍ତ।
ଧାରଣା ସମୟରେ ସଂଘ ପକ୍ଷରୁ ଦାବିଗୁଡ଼ିକୁ ନେଇ ନାଲକୋ ପ୍ରଶାସନ ନିକଟରେ ଦୃଢ଼ ଭାବେ ପକ୍ଷ ରଖାଯାଇଥିଲା। ପରବର୍ତ୍ତୀ ସମୟରେ କର୍ପୋରେଟ୍ ମ୍ୟାନେଜମେଣ୍ଟ ଓ ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନଗୁଡ଼ିକ ସହ ଆଲୋଚନା କରି ଦାବିଗୁଡ଼ିକର ଶୀଘ୍ର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଲିଖିତ ଆଶ୍ୱାସନ ମିଳିଥିଲା।
ଲିଖିତ ପ୍ରତିଶ୍ରୁତି ପରେ ଆଲୁମିନିୟମ ମଜଦୁର ସଂଘ ଏହାର ଆନ୍ଦୋଳନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। ତେବେ ଦାବିଗୁଡ଼ିକର ଯଥାଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ପୁଣି ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘ ନେତୃବୃନ୍ଦ ଚେତାବନୀ ଦେଇଛନ୍ତି।
