ଦେଉଳବେଡା ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ
ତାଳଚେର, ୧୮/୧୧ ତାଳଚେର ବ୍ଲକ ଦେଉଳବେଡା ସ୍ଥିତ ଡିସିଆଇ କ୍ଲବ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ରର ବିକାଶ, ଆଧୁନିକ ଜ୍ଞାନ କୌଶଳର ପ୍ରସାର ତଥା ପ୍ରାଣୀ ପାଳକ, ମତ୍ସ୍ୟ ଓ ଅନ୍ୟାନ୍ୟ ଚାଷୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ଦିବସୀୟ ବ୍ଲକ ସ୍ତରୀୟ ଏହି ମେଳା ସକାଳ ୯ ଘଟିକା ଠାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଏହି ମେଳାରେ ୪୦୦ ରୁ ଉର୍ଦ୍ଧ୍ୱ ଚାଷୀ ଯୋଗଦେଇଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ସିଂ, ସମ୍ମାନୀତ ଅତିଥି ଭାବେ ତାଳଚେର ବିଧାୟକଙ୍କ ପ୍ରତିନିଧି ସନ୍ତାଷ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ସୁଶ୍ରୀ ରୀତାରାଣୀ ଦାସ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ସତ୍ୟ ନାରାୟଣ ସାହୁ, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ବ୍ଲକ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଳ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଯୋଜନା, ସରକାରୀ ସୁବିଧା ଓ ଆଧୁନିକ ଜ୍ଞାନ କୌଶଳ ସମ୍ପର୍କରେ ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା । ପ୍ରାରମ୍ଭରେ ତାଳଚେର ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ଚିନ୍ମୟୀ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଶେଷରେ ବ୍ଲକ ମତ୍ସ୍ୟ ଅଧିକାରୀ ମନ୍ଦାକିନୀମାଳା ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାଃ ଜମ୍ବେଶ୍ୱର ପ୍ରଧାନ, ଡାଃ ସୁନିତା ବେହେରା, ଡାଃ ଶିଳ୍ପା ସୁରକ୍ଷିତା ମହାପାତ୍ର ସହଯୋଗ କରିଥିଲେ । ଏହି ଉପଲକ୍ଷେ ତାଳଚେର ବ୍ଲକର ୪ ଜଣ ସଫଳ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତଥା ଅନ୍ୟାନ୍ୟ ବିଭାଗର ୧୨ଟି ଷ୍ଟଲ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଖୋଲାଯାଇଥିଲା ।
