ନକଲି RTO ସାଜି ରାଜପଥରେ ଚାନ୍ଦା ଆଦାୟ, ପୁଲିସ ହାତରେ ଜଣେ ଗିରଫ
ବାଲେଶ୍ୱର: ପରିବହନ ବିଭାଗର ଅଧିକାରୀ ସାଜି ରାଜପଥରେ ଗାଡ଼ି ଯାଞ୍ଚ ନାଁରେ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଜଣେ ନକଲି RTOଙ୍କୁ ଗିରଫ କରିଛି ଜଳେଶ୍ୱର ପୁଲିସ। ବାଲେଶ୍ୱର ଜିଲା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଚଢ଼ଉ କରି ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।
ଗିରଫ ବ୍ୟକ୍ତି ହେଲେ ଝାଡ଼ଖଣ୍ଡର ବାରଶୋଲ ଥାନା ଅଞ୍ଚଳର ଶମ୍ଭୁ ସାହୁ। ତାଙ୍କ ନିକଟରୁ ଓଡ଼ିଶା ଓ ପଶ୍ଚିମବଙ୍ଗ ପରିବହନ ବିଭାଗର ନକଲି ଫାଇନ୍ ରସିଦ ସହ ଷ୍ଟାମ୍ପ ପେପର, ପ୍ରିଣ୍ଟର, କମ୍ପ୍ୟୁଟର ଏବଂ ଏକ ବାଇକ୍ ଜବତ କରାଯାଇଛି।
ପୁଲିସ ସୂଚନା ଅନୁସାରେ, ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ କିଛି ବ୍ୟକ୍ତି ନିଜକୁ ପରିବହନ ବିଭାଗର କର୍ମଚାରୀ ପରିଚୟ ଦେଇ ଗାଡ଼ି ଯାଞ୍ଚ କରୁଥିବା ନେଇ ଖବର ମିଳିଥିଲା। ଏହାପରେ ଜଳେଶ୍ୱର ପୁଲିସ ଟିମ୍ ସେଠାରେ ଅଚାନକ ଚଢ଼ଉ କରିଥିଲା।
ପୁଲିସକୁ ଦେଖି ଜଣେ ସହଯୋଗୀ ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ ଶମ୍ଭୁ ସାହୁ ଧରାପଡ଼ିଥିଲେ। ତାଙ୍କ ନିକଟରୁ ମିଳିଥିବା ନକଲି ଫାଇନ୍ ରସିଦ ଓ ଅନ୍ୟ ସାମଗ୍ରୀ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି।
ଏହି ଚକ୍ର କେତେ ଦିନ ଧରି ସକ୍ରିୟ ଥିଲା, ନକଲି ରସିଦ ମାଧ୍ୟମରେ କେତେ ଜଣଙ୍କଠାରୁ ଟଙ୍କା ଆଦାୟ କରାଯାଇଛି ଏବଂ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି—ସେନେଇ ପୁଲିସ ଖୋଳତାଡ଼ ଜାରି ରଖିଛି।
ଫେରାର ହୋଇଥିବା ସହଯୋଗୀଙ୍କୁ ଧରିବା ପାଇଁ ମଧ୍ୟ ପୁଲିସ ପକ୍ଷରୁ ତନାଘନା ଚାଲିଛି। ଘଟଣାରେ ଜଳେଶ୍ୱର ପୁଲିସ ୫୮୫/୨୬ ନମ୍ବରରେ ମାମଲା ରୁଜୁ କରିଛି। ଗିରଫ ଶମ୍ଭୁ ସାହୁଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି।
ତଦନ୍ତ ଆଗକୁ ବଢ଼ିବା ସହ ଏହି ନକଲି RTO ଚକ୍ରର ଚେର କେତେ ଦୂର ଲମ୍ବିଛି, ତାହା ସ୍ପଷ୍ଟ ହେବ ବୋଲି ପୁଲିସ ତଦନ୍ତରୁ ଆଶା କରାଯାଉଛି।

