‘ପଶ୍ଚିମବଙ୍ଗ’ ନାଁକୁ ନେଇ ବଡ଼ ଘୋଷଣା: ଆଗାମୀ ଅଧିବେଶନରେ ଆସିବ ବିଲ୍
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଅଫିସିଆଲ୍ ନାଁକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାରେ ନୂଆ ମୋଡ଼ ଆସିଛି। ରାଜ୍ୟର ନାମକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱର ଅବସାନ ପାଇଁ ବିଧାନସଭାରେ ବିଲ୍ ଆଗତ କରାଯିବ ବୋଲି ରାଜ୍ୟ ବିଜେପି ଅଧ୍ୟକ୍ଷ ଶମିକ ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ରାଜ୍ୟର ନାମ ‘ପଶ୍ଚିମବଙ୍ଗ’ ରହିବ। ‘ୱେଷ୍ଟ ବେଙ୍ଗଲ’, ‘ବାଂଲା’, ‘ବଙ୍ଗ’ କିମ୍ବା ଅନ୍ୟ କୌଣସି ବିକଳ୍ପ ନାମକୁ ନେଇ ଥିବା ଦ୍ୱନ୍ଦ୍ୱ ଆଉ ରହିବ ନାହିଁ। ଆଗାମୀ ବିଧାନସଭା ଅଧିବେଶନରେ ଏନେଇ ବିଲ୍ ଆଣିବାକୁ ସରକାର ପ୍ରସ୍ତୁତ ହେଉଥିବା ସେ ଦାବି କରିଛନ୍ତି।
ଶମିକ ଭଟ୍ଟାଚାର୍ଯ୍ୟଙ୍କ ମତରେ, ରାଜ୍ୟର ନାମରେ ‘ପଶ୍ଚିମ’ ଶବ୍ଦ ରହିବା ପଛରେ ଐତିହାସିକ କାରଣ ରହିଛି। ୧୯୪୭ରେ ଭାରତ ବିଭାଜନ ସମୟରେ ବଙ୍ଗ ଦୁଇ ଭାଗରେ ବିଭକ୍ତ ହୋଇଥିଲା। ପୂର୍ବ ଭାଗ ପରେ ବାଂଲାଦେଶରେ ପରିଣତ ହୋଇଥିବାବେଳେ ଭାରତରେ ରହିଥିବା ଅଂଶକୁ ‘ପଶ୍ଚିମ ବଙ୍ଗ’ ଭାବେ ପରିଚୟ ମିଳିଥିଲା।
ତେଣୁ ରାଜ୍ୟର ଐତିହାସିକ ପରିଚୟ ଓ ସାଂସ୍କୃତିକ ଐତିହ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ‘ପଶ୍ଚିମବଙ୍ଗ’ ନାମକୁ ଅଧିକୃତ ଭାବେ ସ୍ଥିର କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ଦୀର୍ଘବର୍ଷ ଧରି ରାଜ୍ୟର ନାମ ପରିବର୍ତ୍ତନକୁ ନେଇ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଚର୍ଚ୍ଚା ଜାରି ରହିଥିବାବେଳେ, ଆଗାମୀ ବିଧାନସଭା ଅଧିବେଶନରେ ଏହି ବିଲ୍ ଆସିଲେ ବିବାଦର ନୂଆ ଅଧ୍ୟାୟ ଆରମ୍ଭ ହୋଇପାରେ।
