ବାତ୍ୟା ‘ଆକଭାନ’ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ ରାଜ୍ୟ ସରକାର: ୧୧ ଜିଲ୍ଲାରେ ମୁତୟନ ହେବେ ୧୦୦ଟି ଗଛ କଟା ଦଳ
ଭୁବନେଶ୍ୱର: ଆସନ୍ନ ବାତ୍ୟା ‘ଆକଭାନ’ (AKVAN) ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି। ବାତ୍ୟା ସମୟରେ ପ୍ରବଳ ପବନ ଓ ବର୍ଷା ଯୋଗୁଁ ବ୍ୟାପକ ଗଛ ଉପୁଡ଼ିବା ଏବଂ ରାସ୍ତା ଅବରୋଧ ହେବାର ଆଶଙ୍କା ରହିଛି। ଏହାର ତୁରନ୍ତ ମୁକାବିଲା କରିବା ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ମୋଟ ୧୦୦ଟି ସ୍ୱତନ୍ତ୍ର ଦଳ ମୁତୟନ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ରାଜେଶ ପ୍ରଭାକର ପାଟିଲ ନିର୍ଦ୍ଦେଶ ଦେଇଛନ୍ତି।
ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଟେଡ୍ (OFDC) ର ପରିଚାଳନା ନିର୍ଦ୍ଦେଶକଙ୍କୁ ଏକ ଜରୁରୀକାଳୀନ ପତ୍ର ଲେଖାଯାଇଛି। ଚିହ୍ନଟ ହୋଇଥିବା ୧୦୦ଟି ଦଳକୁ ତୁରନ୍ତ ସମ୍ପୃକ୍ତ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC) ରେ ଯୋଗଦେବା ସହ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
କେଉଁ ଜିଲ୍ଲାରେ କେତୋଟି ଦଳ ମୁତୟନ ହେବେ?
- ୧୦ଟି ଲେଖାଏଁ ଦଳ: ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା।
- ୫ଟି ଲେଖାଏଁ ଦଳ: ଗଜପତି ଏବଂ ମୟୂରଭଞ୍ଜ ଜିଲ୍ଲା।
ପ୍ରସ୍ତୁତି ଓ କାର୍ଯ୍ୟପନ୍ଥା: ବାତ୍ୟା ସମୟରେ ଏବଂ ପରେ ରାସ୍ତାରେ ପଡ଼ିଥିବା ଗଛ ଓ ଡାଳପତ୍ର ତୁରନ୍ତ କାଟି ସଫା କରିବା ପାଇଁ ଏହି ଦଳଗୁଡ଼ିକ ନିକଟରେ ଚେନସ’ (Chainsaws), ଗଛ କାଟିବା ଉପକରଣ, ଆବଶ୍ୟକୀୟ ଯନ୍ତ୍ରପାତି, ଗାଡ଼ି ଏବଂ ପର୍ଯ୍ୟାପ୍ତ କର୍ମଚାରୀ ମହଜୁଦ ରହିବେ। ଉଦ୍ଧାର କାର୍ଯ୍ୟ, ରିଲିଫ୍ ବଣ୍ଟନ ଏବଂ ଜରୁରୀକାଳୀନ ସେବା ଯୋଗାଣ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଏହି ଦଳଗୁଡ଼ିକ ସମ୍ପୃକ୍ତ ଜିଲ୍ଲାପାଳ, ଅଗ୍ନିଶମ ବାହିନୀ, ପୂର୍ତ୍ତ ବିଭାଗ ଏବଂ ଅନ୍ୟାନ୍ୟ ଉଦ୍ଧାରକାରୀ ସଂସ୍ଥା ସହ ମିଳିତ ଭାବେ କାର୍ଯ୍ୟ କରିବେ।
ଏହା ସହିତ ଦଳର ମୁଖ୍ୟମାନଙ୍କ ନାମ ଓ ମୋବାଇଲ୍ ନମ୍ବର ତୁରନ୍ତ ଜିଲ୍ଲାପାଳ ଏବଂ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) କୁ ପ୍ରଦାନ କରିବାକୁ କୁହାଯାଇଛି। ମୁତୟନ ହୋଇଥିବା OFDC ଦଳଗୁଡ଼ିକର ସଠିକ୍ ଉପଯୋଗ କରି ଜରୁରୀକାଳୀନ ରାସ୍ତା ସଫା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ୧୧ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
