Spread the love

ବାମୁର ଅଙ୍ଗନବାଡ଼ି କେନ୍ଦ୍ରରେ ‘ଆଙ୍ଗନ କା ଉତ୍ସବ’ ଓ ‘ନବମ ପୋଷଣ ମାସ’ ପାଳିତ

ଅନୁଗୋଳ, ୨୮.୦୯ : ଆଜି ପୂର୍ବାହ୍ନରେ କିଶୋରନଗର ବ୍ଲକ୍‌ ଅନ୍ତର୍ଗତ ବାମୁର ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ‘ସେବା ସଙ୍କଳ୍ପ ଅଭିଯାନ’ ଏବଂ ‘ନବମ ପୋଷଣ ମାସ’ ଅବସରରେ ‘ସେବା ସମ୍ବାଦ’ ଓ ‘ଅଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମାନ୍ୟବର ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଙ୍ଗନବାଡ଼ି, ଆଶା କର୍ମୀ ଏବଂ ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସୁପରିଚାଳନା, ଗର୍ଭବତୀ ମା’ ଓ ଶିଶୁଙ୍କ ପୋଷଣ ଏବଂ ସାମାଜିକ ଦାୟିତ୍ୱବୋଧକୁ ସୁଦୃଢ଼ କରିବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ବୋଲି ସେ କହିଥିଲେ। ପ୍ରତ୍ୟେକ ନାଗରିକଙ୍କ ନିଷ୍ଠାପର ଉଦ୍ୟମ ଓ ଭାଗୀଦାରୀ ଦ୍ୱାରା ହିଁ ଅନୁଗୋଳ, ଓଡ଼ିଶା ଏବଂ ଭାରତ ବିକଶିତ ହୋଇପାରିବ ବୋଲି ସେ ବୁଝାଇଥିଲେ।


ଏହା ପରେ ମାନ୍ୟବର ସାଂସଦ ବାମୁର ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କ ସହ ସମୟ ବିତାଇବା ସହ ସେମାନଙ୍କୁ ଫଳମୂଳ ଏବଂ ପୁସ୍ତକ ବଣ୍ଟନ କରିଥିଲେ। ଉତ୍କୃଷ୍ଟ ସେବା ଓ ନିଷ୍ଠାପର କାର୍ଯ୍ୟ ପାଇଁ ସେ ଅଙ୍ଗନବାଡ଼ି କର୍ମୀ, ସହାୟିକା,ଆଶା କର୍ମୀ, ସିଡିପିଓ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ହିତାଧିକାରୀ ଓ ପିତାମାତାମାନଙ୍କୁ ମଧ୍ୟ ସମ୍ମାନିତ କରିଥିଲେ। ମାତୃ ଓ ଶିଶୁ ପୋଷଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ସେ ଉପସ୍ଥିତ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ। ଏଥିସହିତ, ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ କରିବା ଏବଂ ମଦ୍ୟପାନରୁ ଦୂରେଇ ରହିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି ଶିଶୁମାନଙ୍କ ପିତାମାତା ଓ କର୍ମୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପାରମ୍ପରିକ ପୋଡ଼ ପିଠା, କାକରା, ମାଣ୍ଡିଆ/ମିଲେଟ୍ ନିର୍ମିତ ଖାଦ୍ୟ ଓ କୁକିଜର ପ୍ରଦର୍ଶନୀ କରାଯାଇଥିଲା। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇ.ଏ.ଏସ୍ ପ୍ରୋବେସନର ଶ୍ରୀ ଅଭି ଜୈନ, ଆଠମଲ୍ଲିକ ଉପଜିଲ୍ଲାପାଳ ଶ୍ରୀ ଉପେନ୍ଦ୍ର ଲୋହା, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଗୌରବମୟ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ଶତପଥୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ହିତାଧିକାରୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *