Spread the love

# ବୁଢ଼ାପଙ୍କ ଗ୍ରାମରେ ଧୁମ୍‌ଧାମ୍‌ରେ ପାଳିତ ହେଉଛି ପବିତ୍ର କାର୍ତ୍ତିକେଶ୍ୱର ପୂଜା

**ଅନୁଗୋଳ (JAGRAT BHARAT NEWS ):** ଭକ୍ତିମୟ ପରିବେଶ ଓ ଆଧ୍ୟାତ୍ମିକ ଉତ୍ସାହ ମଧ୍ୟରେ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମରେ ଧୁମ୍‌ଧାମ୍‌ରେ ପାଳିତ ହେଉଛି ପବିତ୍ର କାର୍ତ୍ତିକେଶ୍ୱର ପୂଜା। ଗ୍ରାମର ବିଭିନ୍ନ ସ୍ଥାନରେ ପ୍ରଭୁ ଶ୍ରୀ କାର୍ତ୍ତିକେଶ୍ୱରଙ୍କ ପୂଜା ଆୟୋଜନ କରାଯାଇଥିବା ବେଳେ ଏଥିପାଇଁ ସମଗ୍ର ଅଞ୍ଚଳରେ ଭକ୍ତି ଓ ଉତ୍ସବର ମାହୋଲ ସୃଷ୍ଟି ହୋଇଛି।

ଗ୍ରାମର ନୂଆସାହିସ୍ଥିତ ବଜରଙ୍ଗୀ କ୍ଲବ ପକ୍ଷରୁ ଆୟୋଜିତ ପୂଜା ଉତ୍ସବରେ ପ୍ରଥମେ ବାଦ୍ୟ, ହୁଳହୁଳି ଓ ହରିବୋଲ ଧ୍ୱନି ମଧ୍ୟରେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାପରେ ବିଧିବିଧାନ ଅନୁଯାୟୀ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ହୋମଯଜ୍ଞ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନ ସହ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଏବଂ ପ୍ରତିଦିନ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଉଛି।

ସେହିପରି ଗ୍ରାମର ଗଡ଼ସାହି ଏବଂ ନୂଆସାହିର ଅନ୍ୟ ଏକ ସ୍ଥାନରେ ମଧ୍ୟ ପ୍ରଭୁ କାର୍ତ୍ତିକେଶ୍ୱର ପୂଜା ପାଉଛନ୍ତି। ଏହି ସମସ୍ତ ପୂଜା ମଣ୍ଡପରେ ଭକ୍ତଙ୍କ ସମାଗମ ହେଉଥିବା ବେଳେ ସଂକୀର୍ତ୍ତନ, ଭଜନ ଓ ଅନ୍ୟାନ୍ୟ ଧାର୍ମିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଶ ମୁଖରିତ ହୋଇଉଠିଛି।

ପୂଜା ଉତ୍ସବକୁ ସଫଳ କରିବା ପାଇଁ କ୍ଲବର ସଦସ୍ୟ, ଯୁବଗୋଷ୍ଠୀ ଓ ଗ୍ରାମବାସୀମାନେ ଏକଜୁଟ ହୋଇ ସହଯୋଗ କରୁଛନ୍ତି। ଭକ୍ତି, ଶ୍ରଦ୍ଧା ଓ ଭାଇଚାରାର ଏହି ପର୍ବ ଗ୍ରାମବାସୀଙ୍କ ମଧ୍ୟରେ ଏକତା ଓ ସାମାଜିକ ସଦ୍‌ଭାବନାର ବାର୍ତ୍ତା ପ୍ରସାର କରୁଛି।

Leave a Reply

Your email address will not be published. Required fields are marked *