### ମହିଧରପୁରରେ ମଦ୍ୟପଙ୍କ ବେପରୁଆ ଗାଡ଼ି ଚାଳନା ନେଲା ଯୁବତୀଙ୍କ ଜୀବନ
କାର୍ତ୍ତିକେଶ୍ୱର ପୂଜା ଦେଖି ଫେରୁଥିବା ବେଳେ ଦୁର୍ଘଟଣା, ଅନ୍ୟ ଜଣେ ଯୁବତୀ ଆହତ; ଦୁଇ ମଦ୍ୟପ ଆରୋହୀ ଅଟକ
ଅନୁଗୋଳ (JAGRAT BHARAT NEWS ): ପବିତ୍ର କାର୍ତ୍ତିକେଶ୍ୱର ପୂଜାର ଆନନ୍ଦ ଉତ୍ସବ ମଧ୍ୟରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପୂଜା ଦେଖି ହସଖୁସିରେ ଘରକୁ ଫେରୁଥିବା ବେଳେ ମଦ୍ୟପଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଜଣେ ଯୁବତୀଙ୍କ ଜୀବନ ଅକାଳରେ ଝଡ଼ିପଡ଼ିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଯୁବତୀ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଅନୁଗୋଳ ଜିଲ୍ଲା ମହିଧରପୁର ଅଞ୍ଚଳରେ ପ୍ରସିଦ୍ଧ କାର୍ତ୍ତିକେଶ୍ୱର ପୂଜା ଚାଲିଥିବାରୁ ଏଠାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ଆଗମନ ହେଉଛି। ଏହି କ୍ରମରେ ଦୁଇ ଯୁବତୀ ପୂଜା ଦେଖିସାରି ଚାଲିଚାଲି ଘରକୁ ଫେରୁଥିଲେ। ତେବେ ମହିଧରପୁର-ସେରେଣାବେଡ଼ା ରାସ୍ତାରେ ଦୁଇ ଜଣ ମଦ୍ୟପ ବାଇକ୍ ଆରୋହୀ ଆସି ସେମାନଙ୍କୁ ଧକ୍କା ଦେଇଥିଲେ।
ଏହି ଧକ୍କାରେ ଦୁଇ ଯୁବତୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଦୁର୍ଘଟଣାରେ ଜଣେ ଯୁବତୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଯୁବତୀଙ୍କ ଘର ଅନୁଗୋଳ ଉପକଣ୍ଠ ନୂଆସାହି ଗ୍ରାମର ବୋଲି ସୂଚନା ମିଳିଛି।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ପୁଲିସ ପହଞ୍ଚି ଦୁଇ ମଦ୍ୟପ ବାଇକ୍ ଆରୋହୀଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।
ପୂଜା ପାର୍ବଣ ସମୟରେ ମଦ୍ୟପାନ କରି ଗାଡ଼ି ଚଳାଇବା ଏବଂ ବେପରୁଆ ଗାଡ଼ି ଚାଳନା କିପରି ନିରୀହ ଲୋକଙ୍କ ଜୀବନ ନେଉଛି, ଏହି ଘଟଣା ତାହାର ଏକ ଦୁଃଖଦ ଉଦାହରଣ। ଏଭଳି ଘଟଣାର ପୁନରାବୃତ୍ତି ରୋକିବାକୁ ମଦ୍ୟପ ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ସହ ପୁଲିସର ନିୟମିତ ଯାଞ୍ଚ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
