*ରାଜ୍ୟସ୍ତରୀୟ ଶିଶୁ ସାଂସ୍କୃତିକ ମହୋତ୍ସବ “ମହକ-୨୦୨୬” ର ଉଦ୍ଯାପନୀ ଓ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ: କନ୍ଧମାଳ ଚାମ୍ପିଅନ୍ ଓ ପୁରୀ ରନର୍ସ-ଅପ୍*
ଭୁବନେଶ୍ୱର, ନଭେମ୍ବର ୪, ୨୦୨୬: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ସାଂସ୍କୃତିକ ଶିଶୁ ମହୋତ୍ସବ “ମହକ-୨୦୨୬” ର ଉଦ୍ଯାପନୀ ଓ ପୁରସ୍କାର ବିତରଣ ସମାରୋହ ଆଜି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମର ପ୍ରାକ୍ଟିସ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ହୋଇଯାଇଛି। ମହକ-୨୦୨୬ ପ୍ରତିଯୋଗିତାଗୁଡ଼ିକରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ କନ୍ଧମାଳ ଜିଲ୍ଲାକୁ ରାଜ୍ୟସ୍ତରୀୟ ‘ଚାମ୍ପିଅନ୍’ ଏବଂ ପୁରୀ ଜିଲ୍ଲାକୁ ‘ରନର୍ସ-ଅପ୍’ ଭାବେ ପୁରସ୍କୃତ କରାଯାଇଥିଲା।
ଏହି ଭବ୍ୟ ସମାରୋହରେ ଏକାମ୍ର ଭୁବନେଶ୍ୱରର ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଭାମାନଙ୍କୁ ପୁରସ୍କୃତ କରିଥିଲେ। ସମ୍ମାନିତ ଅତିଥି ଭାବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଯୋଗଦେଇ ଶିଶୁମାନଙ୍କୁ ଉଦ୍ବୋଧନ ଦେଇଥିଲେ।
ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ତଥା କମିସନର ଡ. ମୃଣାଳିନୀ ଦରସ୍ୱଲ୍ ନିଜ ବକ୍ତବ୍ୟରେ କହିଥିଲେ ଯେ, ଶିଶୁମାନଙ୍କ ସୃଜନଶୀଳତା ଓ ପ୍ରତିଭା ବିକାଶ ପାଇଁ ମଞ୍ଚ ସବୁବେଳେ ପ୍ରସ୍ତୁତ ରହିଛି। ପ୍ରତ୍ୟେକ ଶିଶୁ ନିର୍ଭୟର ସହିତ ସେମାନଙ୍କର ଅନ୍ତର୍ନିହିତ ଗୁଣର ପରିପ୍ରକାଶ କରିବା ଉଚିତ୍। ଏଥିପାଇଁ ସମସ୍ତ କର୍ମକର୍ତ୍ତା ସହଯୋଗର ହାତ ବଢ଼ାଇବାକୁ ସେ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ମହିଳା ଓ ଶିଶୁ ବିକାଶ ବିଭାଗର ଆଇସିଡିଏସ୍ (ICDS) ଏବଂ ସମାଜ ମଙ୍ଗଳ ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୫ ଜଣ ଶିଶୁ ଯତ୍ନ ଅନୁଷ୍ଠାନ (CCI) ର ପୂର୍ବତନ ଅନ୍ତେବାସୀଙ୍କୁ ସେମାନଙ୍କର ଅସାଧାରଣ ସଫଳତା ପାଇଁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ‘ମହକ-୨୦୨୬’ ଅନ୍ତର୍ଗତ ଆୟୋଜିତ ବିଭିନ୍ନ ରାଜ୍ୟସ୍ତରୀୟ ପ୍ରତିଯୋଗିତାର ବିଜେତାମାନଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମଟି ଅତ୍ୟନ୍ତ ସଫଳତା ଓ ଉତ୍ସାହର ସହ ସମାପ୍ତ ହୋଇଛି।
