Spread the love

ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରଶିକ୍ଷଣ

ପର୍ଯ୍ୟଟନ ଓ ଆତିଥ୍ୟ ଟ୍ରେଡ୍ ରେ ଦକ୍ଷତା ତାଲିମ୍ ପ୍ରଦାନ

ଭୁବନେଶ୍ବର, ୨ ନଭେମ୍ବର ୨୦୨୬ :
ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଓ ଧନ୍ଦାମୂଳକ ଅଧ୍ୟାପକମାନଙ୍କ ପାଇଁ ପାଞ୍ଚ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ (IHM)ଠାରେ ଆରମ୍ଭ ହୋଇଯାଇଛି । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ଏହି ପ୍ରଶିକ୍ଷଣର ଆୟୋଜନ କରାଯାଇଛି । ଏହି ପ୍ରଶିକ୍ଷଣରେ ପର୍ଯ୍ୟଟନ ଓ ଆତିଥ୍ୟ ଟ୍ରେଡ୍ ର ୬୮ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ବ୍ୟବହାରିକ ଦକ୍ଷତା ବୃଦ୍ଧି କରିବା ନିମନ୍ତେ ନଭେମ୍ବର ୨ ରୁ ୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଚାଲିବ । ଏହି ପ୍ରଶିକ୍ଷଣରେ ୪ ଟି ଜିଲ୍ଲା- ଗଞ୍ଜାମ, ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲ୍ଲାରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଯୋଗ ଦେଇଛନ୍ତି ।

ଉଦଘାଟନୀ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ବିନିତା ସେନାପତି, ଉପନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟର ପ୍ରଡକ୍ସନ ବିଭାଗ ମୁଖ୍ୟ ଶ୍ରୀ ସମ୍ବିତ ସୁମନ, ନିର୍ଦ୍ଦେଶାଳୟର ରିସର୍ଚ୍ଚ ଆସିସଟାଣ୍ଟ ଶ୍ରୀମତୀ ସ୍ମିତାରେଖା ମହାନ୍ତି ଓ ଉପବିଭାଗ ଅଧିକାରୀ ଅନିରୁଦ୍ଧ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଶ୍ରୀମତୀ ବିନିତା ସେନାପତି ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ବ ଦେଇ କହିଛନ୍ତି, ଛାତ୍ରଛାତ୍ରୀଙ୍କୁ କେବଳ ପାଠ୍ୟପୁସ୍ତକର ଜ୍ଞାନ ନୁହେଁ ବରଂ ବ୍ୟବହାରିକ ଦକ୍ଷତା ଓ ଆତ୍ମନିର୍ଭରଶୀଳତାର ମାର୍ଗ ଦେଖାଇବା ଜରୁରୀ । ପର୍ଯ୍ୟଟନ ଓ ଆତିଥ୍ୟ ସେବା କ୍ଷେତ୍ରରେ ତାଲିମ ଛାତ୍ରଛାତ୍ରୀଙ୍କୁ ହୋଟେଲ୍ ପରିଚାଳନା ଓ ପର୍ଯ୍ୟଟନ ମାର୍ଗଦର୍ଶନ ଭଳି କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ପ୍ରଦାନ କରିଥାଏ । ଧନ୍ଦାମୂଳକ ଶିକ୍ଷା ଦ୍ବାରା କେହି ବେକାରୀ ସମସ୍ୟାର ସମ୍ମୁଖିନ ହେବେ ନାହିଁ ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।

ସେହିପରି ଶ୍ରୀ ଜିତେନ୍ଦ୍ର ନାୟକ ଉଚ୍ଚମାନର ବ୍ୟବହାରିକ ପ୍ରଶିକ୍ଷଣ ସୁନିଶ୍ଚିତ କରିବା ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ ଭଳି ପ୍ରମୁଖ ପ୍ରତିଷ୍ଠାନର ସହଯୋଗକୁ ପ୍ରଶଂସା କରିବା ସହ ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଏଥିସହ ତାଲିମ୍ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କ ଯୋଗଦାନକୁ ଗୁରୁତ୍ବ ଦେଇଛନ୍ତି । IHM ର ପ୍ରଡକ୍ସନ ବିଭାଗ ମୁଖ୍ୟ ଶ୍ରୀ ସମ୍ବିତ ସୁମନ ଛାତ୍ରଛାତ୍ରୀଙ୍କ ଉତ୍ସାହକୁ ପ୍ରଶଂସା କରିଥିଲେ ଏବଂ ଏକ ଦକ୍ଷ କର୍ମଶକ୍ତି ସୃଷ୍ଟି କରିବାର ରାଜ୍ୟର ଦୃଷ୍ଟିକୋଣକୁ ସମର୍ଥନ କରିବା ପାଇଁ ସମ୍ପୁର୍ଣ୍ଣ ସହଯୋଗ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *