Spread the love

ଧୀରପାଟଣା ଗ୍ରାମରେ ପହଞ୍ଚିଲା ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଇ-ସେବା ମୋବାଇଲ୍ ଭ୍ୟାନ୍, ଭିଡିଓ କନ୍‌ଫରେନ୍ସିଂରେ ୫ ବରିଷ୍ଠ ନାଗରିକଙ୍କ ସାକ୍ଷ୍ୟ ରେକର୍ଡ।

ଏଣିକି ଲୋକଙ୍କ ଦ୍ୱାରଦେଶରେ ପହଞ୍ଚିବ ନ୍ୟାୟିକ ସେବା। ସୁଦୂର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ସହଜରେ ନ୍ୟାୟ ପ୍ରଦାନ ଓ ଆଇନଗତ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଢେଙ୍କାନାଳର ଧୀରପାଟଣା ଗ୍ରାମରେ ପହଞ୍ଚିଛି ସର୍ବୋଚ୍ଚ ନ୍ୟାୟାଳୟ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଇ-ସେବା ମୋବାଇଲ୍ ଭ୍ୟାନ୍।
ଗତ ୨ ଅକ୍ଟୋବର ୨୦୨୬ରେ ଜିଲ୍ଲା ଓ ଦୌରାଜଜ୍ ପ୍ରଣବ କୁମାର ରାଉତରାୟଙ୍କ ତତ୍ତ୍ୱାବଧାନରେ ଢେଙ୍କାନାଳରୁ ଧୀରପାଟଣା ଗ୍ରାମକୁ ଯାତ୍ରା କରିଥିଲା ଏହି ଇ-ସେବା ମୋବାଇଲ୍ ଭ୍ୟାନ୍। ଏହି ଅବସରରେ ଅନ୍ୟ ବିଚାରପତି ଓ ଆଇନଜୀବୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଧୀରପାଟଣା ଗ୍ରାମରେ ଏକ ଫୌଜଦାରୀ ମାମଲାରେ ଉପଖଣ୍ଡ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ରେସ୍ନା ଧଳ ବିଶୋଇ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପାଞ୍ଚ ଜଣ ବରିଷ୍ଠ ନାଗରିକଙ୍କ ସାକ୍ଷ୍ୟ ରେକର୍ଡ କରିଥିଲେ।

ଫଳରେ ବୟସାଧିକ୍ୟ ଓ ଶାରୀରିକ ଅସୁବିଧା ଯୋଗୁଁ ଅଦାଲତକୁ ଯାଇପାରୁନଥିବା ବରିଷ୍ଠ ନାଗରିକମାନେ ନିଜ ଗ୍ରାମରେ ରହି ନ୍ୟାୟିକ ପ୍ରକ୍ରିୟାରେ ସାମିଲ ହେବାର ସୁଯୋଗ ପାଇଛନ୍ତି।

କେବଳ ସେତିକି ନୁହେଁ, ଗ୍ରାମାଞ୍ଚଳର ଲୋକଙ୍କୁ ନିଃଶୁଳ୍କ ଆଇନ ସହାୟତା, ନାଗରିକଙ୍କ ଅଧିକାର ଓ ନ୍ୟାୟ ପ୍ରାପ୍ତିର ବିଭିନ୍ନ ସୁଯୋଗ ସମ୍ପର୍କରେ ମଧ୍ୟ ସଚେତନ କରାଯାଉଛି।

ଅନ୍ୟପଟେ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାକୁ ଆସୁଥିବା ଶ୍ରଦ୍ଧାଳୁ ଓ ସାଧାରଣ ଜନତାଙ୍କୁ ମଧ୍ୟ ଏହି ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ଆଇନ ସମ୍ପର୍କିତ ବିଭିନ୍ନ ସୂଚନା ଓ ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଛି।
ତେବେ ନ୍ୟାୟିକ ସେବାକୁ ସାଧାରଣ ଲୋକଙ୍କ ଦ୍ୱାରଦେଶରେ ପହଞ୍ଚାଇବା ସହ ଆଇନ ସଚେତନତା ବୃଦ୍ଧି କରିବା ଦିଗରେ ସର୍ବୋଚ୍ଚ ନ୍ୟାୟାଳୟ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି।

Leave a Reply

Your email address will not be published. Required fields are marked *