Spread the love

### ୬୨୫ କୋଟିରେ ନିର୍ମାଣ ହେବ ୫ଟି ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପ; ୫ ଜିଲ୍ଲାର ୭୨ ହଜାର ଲୋକ ହେବେ ଉପକୃତ

ଭୁବନେଶ୍ୱର, ୧୩ ନଭେମ୍ବର: ରାଜ୍ୟରେ ଜଳ ସଂରକ୍ଷଣ ଓ ଜଳ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ୬୨୫.୪୭ କୋଟି ଟଙ୍କା ବ୍ୟୟ ଅଟକଳରେ ୫ଟି ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ (ଆଇଏସ୍‌ଏସ୍‌) ପ୍ରକଳ୍ପକୁ ମାତ୍ର ଏକ ମାସ ମଧ୍ୟରେ ପ୍ରଶାସନିକ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ୫ଟି ଜିଲ୍ଲାର ୭୪ଟି ଗ୍ରାମର ପ୍ରାୟ ୭୨ ହଜାର ଲୋକ ସିଧାସଳଖ ଉପକୃତ ହେବେ।

ରାୟଗଡ଼ା, ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ହେବ। ପ୍ରକଳ୍ପ ମାଧ୍ୟମରେ ବର୍ଷାଦିନେ ନଦୀରେ ପ୍ରବାହିତ ଅତିରିକ୍ତ ଜଳକୁ ସଂରକ୍ଷଣ କରି ଗ୍ରୀଷ୍ମ ଋତୁରେ ଜଳାଭାବ ଦୂର କରିବା ସହ ଭୂତଳ ଜଳସ୍ତର ବୃଦ୍ଧି କରିବାକୁ ଯୋଜନା ରହିଛି।

କେଉଁଠି ହେବ କେଉଁ ପ୍ରକଳ୍ପ?

ଅନୁମୋଦନ ପାଇଥିବା ପାଞ୍ଚଟି ପ୍ରକଳ୍ପ ମଧ୍ୟରେ ରହିଛି:

* ରାୟଗଡ଼ା: ବଂଶଧାରା ନଦୀ ଉପରେ ଧୁଆଁପଦର ଏବଂ ନାଗାବଳୀ ନଦୀ ଉପରେ ରେବତୀଗୁଡ଼ା ପ୍ରକଳ୍ପ।

* ଗଞ୍ଜାମ: ବାହୁଦା ନଦୀ ଉପରେ ଭୀମପୁର ପ୍ରକଳ୍ପ।

* କଳାହାଣ୍ଡି: ଭବାନୀପାଟଣା ବ୍ଲକ୍‌ର ନିଝରିଦରା ଗ୍ରାମ ନିକଟରେ ମୁରଲୀଯୋର ପ୍ରକଳ୍ପ।

* ବଲାଙ୍ଗୀର ଓ ସୋନପୁର: ମହାନଦୀର ପ୍ରମୁଖ ଉପନଦୀ ଅଙ୍ଗ ନଦୀ ଉପରେ କୁଟାସିଂହା ବ୍ୟାରେଜ୍।

ପାନୀୟ ଜଳ ସହ ଜଳସେଚନକୁ ମିଳିବ ଗୁରୁତ୍ୱ

ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ନଦୀର ଜଳ ସଂରକ୍ଷିତ ହୋଇ କୂଅ ଓ ନଳକୂପର ଜଳସ୍ତର ବୃଦ୍ଧିରେ ସହାୟକ ହେବ। ଫଳରେ ଜଳାଭାବ ପ୍ରବଣ ଅଞ୍ଚଳରେ ପାନୀୟ ଜଳର ଉପଲବ୍ଧତା ବଢ଼ିବା ସହ ଚାଷକାର୍ଯ୍ୟ ଓ ପଶୁପାଳନ ପାଇଁ ମଧ୍ୟ ଅଧିକ ସୁବିଧା ମିଳିବ।

ବିଶେଷକରି ଧୁଆଁପଦର, ମୁରଲୀଯୋର ଓ ରେବତୀଗୁଡ଼ା ପ୍ରକଳ୍ପ ମାଧ୍ୟମରେ ମତ୍ସ୍ୟଚାଷ ଓ ଆନୁଷଙ୍ଗିକ ଜୀବିକାର ନୂତନ ସୁଯୋଗ ସୃଷ୍ଟି ହେବ। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଆୟ ବୃଦ୍ଧି ସହ ଗ୍ରାମୀଣ ଅର୍ଥନୀତିକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି।

ମିଶନ୍ ମୋଡ୍‌ରେ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ

୨୦୨୪ ମସିହାରୁ ରାଜ୍ୟ ସରକାର ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ କାର୍ଯ୍ୟକ୍ରମକୁ ମିଶନ୍ ମୋଡ୍‌ରେ ଆଗେଇ ନେଉଛନ୍ତି। ଜଳ ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଭବିଷ୍ୟତ ପିଢ଼ି ପାଇଁ ଜଳସମ୍ପଦର ସୁରକ୍ଷା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଜଳସମ୍ପଦର ସ୍ଥାୟୀ ବିକାଶ ଓ ଗ୍ରାମାଞ୍ଚଳର ମୌଳିକ ସୁବିଧା ବୃଦ୍ଧିକୁ ସରକାର ପ୍ରାଥମିକତା ଦେଉଛନ୍ତି। ୬୨୫ କୋଟିରୁ ଅଧିକ ଟଙ୍କାର ଏହି ପାଞ୍ଚଟି ପ୍ରକଳ୍ପ ରାଜ୍ୟର ଜଳ ସୁରକ୍ଷା ସହ ଗ୍ରାମୀଣ ଜୀବିକା ଓ ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ ବୋଲି ଆଶା ପ୍ରକାଶ କରାଯାଇଛି।

Leave a Reply

Your email address will not be published. Required fields are marked *