### ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷା ଉପରେ ଅନୁଗୋଳ ପୋଲିସର ଗୁରୁତ୍ୱ, ଏସପିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ
ଅନୁଗୋଳ: ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ, ତଦନ୍ତ ପ୍ରକ୍ରିୟାରେ ତ୍ୱରିତ ଗତି ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା ଉପରେ ଅନୁଗୋଳ ଜିଲ୍ଲା ପୋଲିସ ଗୁରୁତ୍ୱ ଦେଇଛି। ଏନେଇ ଆଜି ଅନୁଗୋଳ ଏସପିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଥାନା IIC, SDPO ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା।
ବୈଠକରେ ଜିଲ୍ଲାର ସାମଗ୍ରିକ ଅପରାଧ ସ୍ଥିତି, ବିଭିନ୍ନ ମାମଲାର ତଦନ୍ତ ଅଗ୍ରଗତି, ବିଚାରାଧୀନ ମାମଲାଗୁଡ଼ିକର ଶୀଘ୍ର ଫଇସଲା, ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଜରୁରୀକାଳୀନ ସ୍ଥିତିରେ ମୁକାବିଲା ପାଇଁ ପୋଲିସର ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା ସହ ସମୀକ୍ଷା କରାଯାଇଥିଲା।
ଏହି ଅବସରରେ ଏସପି ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତଦନ୍ତ ସମ୍ପୂର୍ଣ୍ଣ କରି ମାମଲାଗୁଡ଼ିକର ଶୀଘ୍ର ସମାଧାନ କରିବା, ତଦାରଖ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରିବା ଏବଂ କାର୍ଯ୍ୟରେ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଜିଲ୍ଲାରେ ଆଇନଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ଅଧିକାରୀ ସକ୍ରିୟ ଓ ସଜାଗ ରହିବାକୁ କୁହାଯାଇଥିଲା।
ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ପରିସ୍ଥିତିକୁ ଆଖିଆଗରେ ରଖି ପୋଲିସ ବିଭାଗକୁ ଉଚ୍ଚ ସତର୍କତାରେ ରହିବା ସହ ଯେକୌଣସି ଜରୁରୀକାଳୀନ ସ୍ଥିତିର ତୁରନ୍ତ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏସପି ନିର୍ଦ୍ଦେଶ ଦେଇଥିଲେ।
ଅପରାଧ ନିୟନ୍ତ୍ରଣ, ତ୍ୱରିତ ପୋଲିସ କାର୍ଯ୍ୟାନୁଷ୍ଠାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ସହ କୌଣସି କ୍ଷେତ୍ରରେ ଅବହେଳା କିମ୍ବା ଆତ୍ମସନ୍ତୋଷ ଗ୍ରହଣୀୟ ନୁହେଁ ବୋଲି ବୈଠକରେ ସ୍ପଷ୍ଟ ବାର୍ତ୍ତା ଦିଆଯାଇଥିଲା।
