ଆରବ ସାଗରରେ ବଡ଼ ଡ୍ରଗ୍ସ ଚୋରାଚାଲାଣ ରୋକିଲା ସୁରକ୍ଷାବାହିନୀ, ୫ ପାକିସ୍ତାନୀ ନାଗରିକ ଧରାପଡ଼ିଲେ
ଗାନ୍ଧୀନଗର: ଆରବ ସାଗରରେ ଡ୍ରଗ୍ସ ଚୋରାଚାଲାଣ ବିରୋଧରେ ଭାରତୀୟ ତଟରକ୍ଷୀ ବାହିନୀ ଓ ଗୁଜରାଟ ଏଟିଏସ୍ର ମିଳିତ ଅଭିଯାନରେ ବଡ଼ ସଫଳତା ମିଳିଛି। ଲକ୍ଷଦ୍ୱୀପ ନିକଟ ସମୁଦ୍ରରେ ଏକ ସନ୍ଦିଗ୍ଧ ଡଙ୍ଗାକୁ ଅଟକାଇ ପ୍ରାୟ ୫୨୬ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ କରାଯାଇଛି। ଏହାର ଆନ୍ତର୍ଜାତୀୟ ବଜାର ମୂଲ୍ୟ ପ୍ରାୟ ୩,୦୦୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି।
ସୁରକ୍ଷା ଏଜେନ୍ସିର ସୂଚନା ଆଧାରରେ ସମୁଦ୍ରରେ ସନ୍ଦିଗ୍ଧ ଡଙ୍ଗାର ଗତିବିଧି ଉପରେ ନଜର ରଖାଯାଇଥିଲା। ପରେ ତଟରକ୍ଷୀ ବାହିନୀ ଓ ଗୁଜରାଟ ଏଟିଏସ୍ର ଟିମ୍ ମିଳିତ ଭାବେ ଅଭିଯାନ ଚଳାଇ ଡଙ୍ଗାଟିକୁ ଅଟକାଇଥିଲେ। ଯାଞ୍ଚ ସମୟରେ ଡଙ୍ଗାରୁ ହେରୋଇନ୍ ଓ ମେଥାମ୍ଫେଟାମାଇନ୍ ସମେତ ବିପୁଳ ପରିମାଣର ନିଶାଦ୍ରବ୍ୟ ମିଳିଥିଲା।
ଅଭିଯାନ ସମୟରେ ଡଙ୍ଗାରେ ଥିବା ୫ ଜଣ ପାକିସ୍ତାନୀ ନାଗରିକଙ୍କୁ ଧରାଯାଇଛି। ଡଙ୍ଗା, ଧରାପଡ଼ିଥିବା ବ୍ୟକ୍ତି ଓ ଜବତ ନିଶାଦ୍ରବ୍ୟକୁ ପରବର୍ତ୍ତୀ ତଦନ୍ତ ଏବଂ ଆଇନଗତ ପ୍ରକ୍ରିୟା ପାଇଁ ହସ୍ତାନ୍ତର କରାଯାଇଛି।
ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଏବେ ଏହି ଚୋରାଚାଲାଣ ପଛରେ କୌଣସି ବଡ଼ ଆନ୍ତର୍ଜାତୀୟ ନେଟୱାର୍କ ରହିଛି କି ନାହିଁ, ସେନେଇ ଖୋଳତାଡ଼ କରୁଛନ୍ତି। ଭାରତୀୟ ତଟରକ୍ଷୀ ବାହିନୀର ପୂର୍ବ ଅଭିଯାନଗୁଡ଼ିକରେ ମଧ୍ୟ ଗୁଜରାଟ ଏଟିଏସ୍ ସହ ମିଳିତ ଭାବେ ବଡ଼ ପରିମାଣର ନିଶାଦ୍ରବ୍ୟ ଜବତ ହୋଇଛି।
