### ଏନ୍ଟିପିସି ତାଳଚେର ଥର୍ମାଲର ନିର୍ମାଣାଧୀନ ୟୁନିଟ୍ରେ ଦୁର୍ଘଟଣା, ୩ ଶ୍ରମିକ ଆହତ
ତାଳଚେର: ଏନ୍ଟିପିସି ତାଳଚେର ଥର୍ମାଲର ନିର୍ମାଣାଧୀନ ୟୁନିଟ୍ରେ ଶନିବାର ଏକ ଦୁର୍ଘଟଣା ଘଟି ୩ ଜଣ ଠିକା ଶ୍ରମିକ ଆହତ ହୋଇଛନ୍ତି। ନଭେମ୍ବର ୨୧ ତାରିଖରେ ଘଟିଥିବା ଏହି ଘଟଣା ପରେ ଆହତ ଶ୍ରମିକମାନଙ୍କୁ ତୁରନ୍ତ ଏନ୍ଟିପିସି ହସ୍ପିଟାଲକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା।
ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣ ଶ୍ରମିକଙ୍କୁ ଅଧିକ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ଏନ୍ଟିପିସି ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ତିନି ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ମଧ୍ୟ ସୂଚନା ଦିଆଯାଇଛି।
ଆହତ ଶ୍ରମିକମାନେ ବିଏଚ୍ଇଏଲ୍ (BHEL) ଅଧୀନରେ କାର୍ଯ୍ୟ କରୁଥିବା ପାୱାରମେକ୍ (Power Mech) କମ୍ପାନୀରେ ନିୟୋଜିତ ଥିଲେ।
ଏହି ଦୁର୍ଘଟଣାର କାରଣ ଜାଣିବା ପାଇଁ ଏନ୍ଟିପିସି ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରାଯାଇଛି। କମିଟି ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବ।
JAGRAT BHARAT NEWS | TALCHER
