ମେଡିକାଲ୍ କଲେଜ୍ ସୁରକ୍ଷା ମଂଚ ପକ୍ଷରୁ ବିଧାନସଭା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା
ତାଳଚେର, ୨୧/୧୧ ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ ସୁରକ୍ଷା ମଂଚ ପକ୍ଷରୁ ବିଧାନସଭା ସମ୍ମୁଖରେ ଶୁକ୍ରବାର ଦିନ ୧୨ ଘଂଟିଆ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଥିଲା । ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ ରେ ତୁରନ୍ତ ରୋଗୀ ସେବା ଆରମ୍ଭ କରିବା ଓ ତାଳଚେର ରେଳ ଷ୍ଟେସନକୁ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ସଠିକ୍ ସମୟରେ ଚଳାଚଳ କରିବା ଦାବୀ ନେଇ ପୂର୍ବରୁ ବହୁବାର ଦାବୀ ଆପତି କରାଯାଇଥିଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ତାଳଚେରବାସୀଙ୍କ ଦାବୀକୁ ଦୃଷ୍ଟି ଦେଇ ନାହାନ୍ତି । ଅନୁଷ୍ଠାନର ସଭାପତି ଅଭୟ ପାଣିଙ୍କ ନେତୃତ୍ୱରେ ତାଳଚେରର ବହୁ ଜନସାଧାରଣ ଏହି ଗଣଧାରଣାରେ ସାମିଲ୍ ହୋଇଥିଲେ । ଅପରାହ୍ନରେ ଗଣଧାରଣା ସ୍ଥଳକୁ ପୋଲିସ୍ ପ୍ରଶାସନ ଆସି ବୁଝାସୁଝା କରିଥିଲେ ଏବଂ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ । ସେଠାରେ ଉକ୍ତ ସମସ୍ୟା ବିଷୟରେ ରାଜ୍ୟ ସରକାରଙ୍କ ସଚିବଙ୍କ ସହ ଆଲୋଚନା କରି ପୁର୍ନବାର ଦାବୀପତ୍ରର ନକଲ ପ୍ରଦାନ କରିଥିଲେ । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ତାଳଚେର ଠାରେ ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ ତିଆରି ହେଲା କିନ୍ତୁ କଲେଜର ରୋଗୀ ସେବା ତାଳଚେର ପରିବର୍ତେ ଅନୁଗୋଳ ଜିଲ୍ଲା ମେଡିକାଲ୍ ରେ ଆରମ୍ଭ କରାଗଲା । ତାଳଚେରରୁ ସରକାର ଅଧିକ ରାଜସ୍ୱ ଆଦାୟ ପାଇଁ ଅଧିକ କୋଇଲା ଓ ବିଜୁଳି ଉତ୍ପାଦନ କରି ତାଳଚେରବାସୀଙ୍କୁ ଦେଶର ସବୁଠାରୁ ଅଧିକ ପ୍ରଦୂଷଣ ମଧ୍ୟକୁ ଠେଲି ଦେଇଛନ୍ତି । ଅତ୍ୟଧିକ ପ୍ରଦୂଷଣରେ ଜର୍ଜରିତ ହୋଇ ତାଳଚେରବାସୀ ବିଭିନ୍ନ ମାରାତ୍ମକ ରୋଗରେ ପୀଡିତ ହୋଇ ଆସନ୍ନ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ତାଳଚେର ମେଡିକାଲ୍ କଲେଜ୍ରେ ରୋଗୀସେବା ତାଳଚେର ପରିବର୍ତେ ଅନୁଗୋଳରେ କରି ତାଳଚେରବାସୀଙ୍କୁ ସର୍ବନିମ୍ନ ରୋଗୀସେବାରୁ ବଂଚିତ କରାଯାଇଛି । ରାଜ୍ୟ ସରକାର ତୁରନ୍ତ ରୋଗୀ ସେବା ଆରମ୍ଭ ନକରନ୍ତି ତେବେ ଆଗାମୀ ଦିନରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ତାଳଚେର ବନ୍ଦ କରାଯିବ ବୋଲି ଜଣାଇ ଦିଆଯାଇଛି । ସେହିପରି ତାଳଚେର ରେଳ ଷ୍ଟେସନ୍ କୁ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଆସିବା ଦାବୀରେ ବାରମ୍ବାର କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅଭିଯୋଗ କରିବା ସତ୍ୱେ ମଧ୍ୟ ରେଳ କର୍ତୃପକ୍ଷ କୌଣସି ପ୍ରକାର ପଦକ୍ଷେପ ନେଉ ନାହାନ୍ତି । ଯାହାକି ତାଳଚେର ରେଳ ୟୁଜର୍ସ କମିଟି ତରଫରୁ ଗତ ୪୫ ଦିନ ହେଲା ତାଳଚେର ରେଳ ଷ୍ଟେସନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଚାଲୁ ରଖିଛନ୍ତି ଏବଂ ଯେ ପର୍ଯ୍ୟନ୍ତ ଦାବୀ ପୂରଣ ନହେବ ସେ ପର୍ଯ୍ୟନ୍ତ ଏହି ଶାନ୍ତିପୂର୍ଣ୍ଣ ଗଣଧାରଣା ଚାଲୁ ରହିବ ବୋଲି କମିଟି ପକ୍ଷରୁ ଜଣାଇ ଦିଆଯାଇଛି । ଦାବୀ ପୂରଣ ନହେଲେ ଆଗାମୀ ଦିନରେ ତାଳଚେରରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଦାବୀପତ୍ର ପ୍ରଦାନ ବେଳେ ସାଧାରଣ ସଂପାଦକ ସନ୍ତୋଷ କୁମାର ଦେହୁରୀ, ଶୋଭାଗିନୀ ଦେବୀ, ପ୍ରେମାନନ୍ଦ ମହାନ୍ତି, ସୁରଥ ରଥ, ଗଗନ ବିହାରୀ ଦାସ, ଶରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
