ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାରେ STFର ବଡ଼ ତଦନ୍ତ
ଦୀଘାର ହୋଟେଲରୁ ୩ ଜଣଙ୍କୁ ଆଣି ପଚରାଉଚରା; ବ୍ଲାକ୍ ଥାର୍ ଗାଡ଼ି ଓ ମାସ୍କକୁ ନେଇ ଖୋଳତାଡ଼
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ୍ ଉଦ୍ଧାର ଘଟଣା ଏବେ ନୂଆ ମୋଡ଼ ନେଇଛି। ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ତଦନ୍ତକୁ ଜୋରଦାର କରିଛି ଓଡ଼ିଶା STF। ପଶ୍ଚିମବଙ୍ଗର ଦୀଘାସ୍ଥିତ ଏକ ଘରୋଇ ହୋଟେଲରୁ ୩ ଜଣଙ୍କୁ ଆଣି STF ପଚରାଉଚରା କରୁଥିବା ସୂଚନା ମିଳିଛି। ହୋଟେଲ ମାଲିକଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତକାରୀ ଟିମ୍ ଖୋଳତାଡ଼ ଚଳାଇଛି।
ଓରାଙ୍ଗଉଟାନ୍ଗୁଡ଼ିକ ଓଡ଼ିଶାକୁ କେଉଁଠାରୁ ଆସିଲେ ଏବଂ ଏହା ପଛରେ କାହାର ଭୂମିକା ରହିଛି, ତାହା ଜାଣିବାକୁ STF ବିଭିନ୍ନ ଦିଗରୁ ତଦନ୍ତ କରୁଛି। ଘଟଣାରେ ବ୍ୟବହୃତ ବୋଲି ସନ୍ଦେହ କରାଯାଉଥିବା ବ୍ଲାକ୍ ଥାର୍ ଗାଡ଼ି ସମ୍ପର୍କରେ ମଧ୍ୟ ଅଧିକ ତଥ୍ୟ ସଂଗ୍ରହ ଚାଲିଛି।
ଅନ୍ୟପଟେ, ଓରାଙ୍ଗଉଟାନ୍ ଉଦ୍ଧାର ହୋଇଥିବା ସ୍ଥାନରୁ ଏକ ମାସ୍କ ମିଳିବା ପରେ ତାହାକୁ ନେଇ ମଧ୍ୟ ତଦନ୍ତ ଆଗକୁ ବଢ଼ିଛି। ମାସ୍କଟି କାହାର ଏବଂ ଘଟଣା ସହ ଏହାର କୌଣସି ସମ୍ପର୍କ ଅଛି କି ନାହିଁ, ତାହା ଯାଞ୍ଚ କରାଯାଉଛି।
ଘଟଣାସ୍ଥଳରେ ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ବନକର୍ମଚାରୀମାନେ ଦିନରାତି ସେଠାରେ କ୍ୟାମ୍ପ କରି ନଜର ରଖିଛନ୍ତି।
DGPଙ୍କ ନିର୍ଦ୍ଦେଶରେ STF ତଦନ୍ତ
ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ପାଇଁ DGPଙ୍କୁ ଚିଠି ଲେଖାଯାଇଥିଲା। ଏହା ପରେ DGP ବିନୟତୋଷ ମିଶ୍ର STFକୁ ଘଟଣାରେ ବିଧିବଦ୍ଧ ଭାବେ ମାମଲା ରୁଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଆଜି ମାମଲା ରୁଜୁ ହେବା ସହ ତଦନ୍ତ ଆହୁରି ତ୍ୱରାନ୍ୱିତ ହେବ ବୋଲି କୁହାଯାଉଛି। ଆସନ୍ତା ୮ ଦିନ ମଧ୍ୟରେ ଘଟଣାର ରହସ୍ୟ ଉପରୁ ପରଦା ଉଠାଇବାକୁ ଚେଷ୍ଟା କରାଯିବ ବୋଲି DGP କହିଥିବା ସୂଚନା ମିଳିଛି।
ତେବେ ଓଡ଼ିଶାରେ ୫ଟି ଓରାଙ୍ଗଉଟାନ୍ କିପରି ପହଞ୍ଚିଲେ, ସେମାନଙ୍କୁ କିଏ ଆଣିଥିଲା ଏବଂ ଏହା ପଛରେ କୌଣସି ବଡ଼ ଚୋରାଚାଲାଣ ଚକ୍ରର ସମ୍ପୃକ୍ତି ରହିଛି କି ନାହିଁ—ଏବେ ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି STF।
