Spread the love

ବ୍ରହ୍ମପୁର, ୨୬.୭: ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଶନିବାର ଭୋର ସମୟରେ ପୁଲିସ ଓ ଜଣେ ଦୁର୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଘଟଣାରେ କୁଖ୍ୟାତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆ ଗୁଳିବିଦ୍ଧ ହୋଇଛି। ତାଙ୍କ ଆଣ୍ଠୁରେ ଗୁଳି ବାଜିଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ, ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀଙ୍କ ନେତୃତ୍ୱରେ ପୁଲିସ ଟିମ୍ କୋଦଳା–ସିଂହାସିନି ରୋଡ଼ରେ ପାଟ୍ରୋଲିଂ କରୁଥିବା ବେଳେ କାଳିଆ ସହ ସାମ୍ନାସାମ୍ନି ହୋଇଥିଲେ। ଏହି ସମୟରେ କାଳିଆ ପୁଲିସ ଟିମ୍ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି।ଆତ୍ମରକ୍ଷା ପାଇଁ ପୁଲିସ ମଧ୍ୟ ପାଲଟା ଗୁଳିଚାଳନା କରିଥିଲା। ଏଥିରେ କାଳିଆଙ୍କ ଆଣ୍ଠୁରେ ଗୁଳି ବାଜିଥିଲା। ପରେ ତାଙ୍କୁ ପୁଲିସ ହେପାଜତକୁ ନେଇ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଥିବା ସୂଚନା ମିଳିଛି।ଘନଶ୍ୟାମ ବେହେରା ଓରଫ କାଳିଆଙ୍କ ନାମରେ ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଓ ଡକାୟତି ଭଳି ଏକାଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି। ପୁରୁଷୋତ୍ତମପୁର ଥାନାର ତିନୋଟି ମାମଲାରେ ସେ ଫେରାର ଥିବାବେଳେ ପୁଲିସ ତାଙ୍କୁ ଖୋଜୁଥିଲା।ଏହି ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁଲିସ ସମଗ୍ର ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *