Spread the love

ଗଭୀର ଅବପାତ ପ୍ରଭାବରେ ୬ ଜିଲ୍ଲାରେ ବନ୍ୟା ପ୍ରଭାବ

୬୪ଟି ରେସ୍ପନ୍ସ ଟିମ୍‌ ମୁତୟନ, ୧୦ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ରିଲିଫ୍‌ ବ୍ୟବସ୍ଥା

ଭୁବନେଶ୍ୱର, ୨୮/୦୯/୨୦୨୬: ଗଭୀର ଅବପାତର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ଓ ସ୍ଥାନୀୟ ବନ୍ୟା ସ୍ଥିତି ଦେଖାଦେଇଥିଲେ ମଧ୍ୟ ବର୍ତ୍ତମାନ ସମଗ୍ର ରାଜ୍ୟର ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ପକ୍ଷରୁ ୨୮ ସେପ୍ଟେମ୍ବର ସକାଳ ୮ଟା ୩୦ ପର୍ଯ୍ୟନ୍ତର ସ୍ଥିତି ରିପୋର୍ଟରୁ ଏହା ଜଣାପଡ଼ିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ମାତ୍ର ୦.୧ ମିମି ବର୍ଷା ରେକର୍ଡ ହୋଇଛି। ସୁନ୍ଦରଗଡ଼ରେ ୧.୩ ମିମି ବର୍ଷା ହୋଇଥିବାବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ବର୍ଷା ପରିମାଣ ଶୂନ ରହିଛି। ଫଳରେ ବର୍ଷାର ତୀବ୍ରତା ଯଥେଷ୍ଟ କମିଥିବା ସୂଚନା ମିଳିଛି।

ତେବେ ଗଭୀର ଅବପାତର ପ୍ରଭାବରେ କୋରାପୁଟ, ନବରଙ୍ଗପୁର, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳ ପ୍ରଭାବିତ ହୋଇଛି।

କୋରାପୁଟରେ ୨ଟି ବ୍ଲକ୍‌, ୨୦ଟି ଗ୍ରାମ ପଞ୍ଚାୟତ ଓ ୪୧ଟି ଗ୍ରାମ ପ୍ରଭାବିତ ହୋଇଛି। ମୋଟ ୬,୩୯୫ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୨,୬୮୪ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏଠାରେ ୩୬ଟି ରିଲିଫ୍‌ କ୍ୟାମ୍ପ ଖୋଲାଯାଇଛି।

ନବରଙ୍ଗପୁରରେ ୩ଟି ବ୍ଲକ୍‌, ୧୩ଟି ଗ୍ରାମ ପଞ୍ଚାୟତ ଓ ୩୧ଟି ଗ୍ରାମ ପ୍ରଭାବିତ ହୋଇଛି। ୧୬,୮୯୧ ଜଣ ପ୍ରଭାବିତ ହୋଇଥିବାବେଳେ ୨,୩୯୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୧୮ଟି ରିଲିଫ୍‌ କ୍ୟାମ୍ପ କାର୍ଯ୍ୟକ୍ଷମ ରହିଛି।

ଅନ୍ୟପକ୍ଷରେ ବୁଢ଼ାବଳଙ୍ଗ, ବୈତରଣୀ, ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଉତ୍ତର ଓଡ଼ିଶାର କେତେକ ଅଞ୍ଚଳ ପ୍ରଭାବିତ ହୋଇଛି।

ବାଲେଶ୍ୱରରେ ୫୪୧ଟି ଗ୍ରାମର ୫୦,୪୫୬ ଜଣ ପ୍ରଭାବିତ ହୋଇଥିବାବେଳେ ୪୯,୫୯୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରେ ୭୭ଟି ରିଲିଫ୍‌ କ୍ୟାମ୍ପ ଖୋଲାଯାଇଛି।

ଯାଜପୁରରେ ୫,୦୫୯ ଜଣ ପ୍ରଭାବିତ ଓ ୩,୮୭୬ ଜଣ ସ୍ଥାନାନ୍ତର ହୋଇଥିବାବେଳେ ୧୯ଟି ରିଲିଫ୍‌ କ୍ୟାମ୍ପ ଖୋଲାଯାଇଛି। ଭଦ୍ରକରେ ୧୧,୨୫୧ ଜଣ ପ୍ରଭାବିତ ଓ ୮,୨୭୮ ଜଣ ସ୍ଥାନାନ୍ତର ହୋଇଥିବାବେଳେ ୬୬ଟି ରିଲିଫ୍‌ କ୍ୟାମ୍ପ ଚାଲୁ ରହିଛି। ସେହିପରି ମୟୂରଭଞ୍ଜରେ ୨,୪୨୫ ଜଣ ପ୍ରଭାବିତ ଓ ୨,୩୫୪ ଜଣ ସ୍ଥାନାନ୍ତର ହୋଇଥିବାବେଳେ ୨୨ଟି ରିଲିଫ୍‌ କ୍ୟାମ୍ପ ଖୋଲାଯାଇଛି।

୫୯୧ ମେଟ୍ରିକ୍‌ ଟନ୍‌ ଗୋଖାଦ୍ୟ ଯୋଗାଣ

ବନ୍ୟା ପ୍ରଭାବିତ ଅଞ୍ଚଳରେ ପଶୁସମ୍ପଦର ସୁରକ୍ଷା ପାଇଁ ଆବଶ୍ୟକ ଅନୁଯାୟୀ ଗୋଖାଦ୍ୟ ଯୋଗାଇ ଦିଆଯାଇଛି। ବାଲେଶ୍ୱରକୁ ୩୨୬ ମେଟ୍ରିକ୍‌ ଟନ୍‌, ଯାଜପୁରକୁ ୩୧.୩୨ ମେଟ୍ରିକ୍‌ ଟନ୍‌, ଭଦ୍ରକକୁ ୧୭୫.୨ ମେଟ୍ରିକ୍‌ ଟନ୍‌, ମୟୂରଭଞ୍ଜକୁ ୪୦ ମେଟ୍ରିକ୍‌ ଟନ୍‌ ଏବଂ କୋରାପୁଟକୁ ୧୮.୮୦ ମେଟ୍ରିକ୍‌ ଟନ୍‌ ଗୋଖାଦ୍ୟ ପଠାଯାଇଛି। ମୋଟ ୫୯୧.୩୨ ମେଟ୍ରିକ୍‌ ଟନ୍‌ ଗୋଖାଦ୍ୟ ଯୋଗାଣ ହୋଇଛି।

୬୪ଟି ରେସ୍ପନ୍ସ ଟିମ୍‌ ମୁତୟନ

ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରଭାବିତ ଅଞ୍ଚଳରେ ମୋଟ ୫୭ଟି ODRAF ଓ ୭ଟି NDRF ଟିମ୍‌, ଅର୍ଥାତ୍‌ ୬୪ଟି ରେସ୍ପନ୍ସ ଟିମ୍‌ ମୁତୟନ କରାଯାଇଛି। ବାଲେଶ୍ୱରରେ ୯ଟି ODRAF ଓ ୨ଟି NDRF, କୋରାପୁଟରେ ୪ଟି ODRAF, ନବରଙ୍ଗପୁରରେ ୫ଟି ODRAF, ଭଦ୍ରକରେ ୩ଟି ODRAF ଏବଂ ଯାଜପୁରରେ ୩ଟି ODRAF ଓ ୧ଟି NDRF ଟିମ୍‌ ନିୟୋଜିତ ଅଛନ୍ତି।

ପାଣିପାଗ ସ୍ଥିତି ଉପରେ ନଜର ରଖିବା ସହ ବଜ୍ରପାତ ସମୟରେ ସୁରକ୍ଷିତ ଆଶ୍ରୟ ନେବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ସ୍ଥାନୀୟ ବନ୍ୟା, ରାସ୍ତାରେ ପାଣି ଜମିବା, ସହରାଞ୍ଚଳର ଅଣ୍ଡରପାସ୍‌ ବନ୍ଦ କରିବା ସହ ଦୁର୍ବଳ ଗଠନ, କଚ୍ଚା ରାସ୍ତା, ଭୂସ୍ଖଳନ ଏବଂ ଜଳମଗ୍ନ ଅଞ୍ଚଳରେ ଫସଲ କ୍ଷୟକ୍ଷତି ଭଳି ସମ୍ଭାବ୍ୟ ସ୍ଥିତି ପ୍ରତି ସତର୍କ ରହିବାକୁ ଜିଲ୍ଲା ପ୍ରଶାସନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

SEOC ସମସ୍ତ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC) ସହ ସମନ୍ୱୟ ରଖି ୨୪×୭ ଭିତ୍ତିରେ ପରିସ୍ଥିତି ନିରୀକ୍ଷଣ କରୁଛି। ବର୍ତ୍ତମାନ ସମଗ୍ର ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *