Spread the love

ଭୁବନେଶ୍ୱର,୨୨।୪ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ଗରିବ ତଥା ନିମ୍ନମଧ୍ୟବିତ୍ତ ଶ୍ରେଣୀର ଲୋକ ଯେପରି ଜମି ଓ ଘର ଖଣ୍ଡିଏ ପାଇବେ ସେଥିପ୍ରତି ସରକାର ଯତ୍ନବାନ ଅଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତଦ୍ୟୋୟ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି। ତଥାପି ସହରାଞ୍ଚଳରେ ବହୁ ଗରିବ ଏଥିରୁ ବଞ୍ଚିତ ହେଉଛନ୍ତି।

ଏହାକୁ ଦୃଷ୍ଟିରେ ରଖି ରାଜସ୍ବ ବିଭାଗ ପକ୍ଷରୁ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରାଯିବ। ମହାରାଷ୍ଟ୍ର ମଡେଲରେ ଗରିବଙ୍କୁ ଫ୍ଲାଟ କରି ବଣ୍ଟନ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଲୋକସେବା ଭବନରେ ମଙ୍ଗଳବାର ମନ୍ତ୍ରୀ ପୂଜାରୀ କହିଛନ୍ତି, ଗ୍ରାମାଞ୍ଚଳରେ ଜମି ଅଧିକ ରହିଥିବାବେଳେ କମ୍‌ ଲୋକ ଭୂମିହୀନ ରହିଛନ୍ତି। ‘ବସୁନ୍ଧରା’ ଯୋଜନାରେ ସେମାନଙ୍କୁ ଜମି ଯୋଗାଇ ଦିଆଯାଉଛି। ମାତ୍ର ସହରାଞ୍ଚଳରେ ଲୋକ ଅଧିକ ରହିଥିଲେ ହେଁ ତାଙ୍କ ପାଇଁ ଆବଶ୍ୟକ ପରିମାଣର ଜମି ନାହିଁ। ସରକାରଙ୍କ ପକ୍ଷରୁ ବସୁନ୍ଧରା ଯୋଜନାର ରୂପରେଖ ବଦଳାଇ ନୂତନ ଯୋଜନା ଅଣାଯିବାକୁ ନଗର ଉନ୍ନୟନ ବିଭାଗ ସହିତ ଆଲୋଚନା ଶେଷ ହୋଇଛି। ଖୁବ୍‌ଶୀଘ୍ର ସରକାରଙ୍କ ପକ୍ଷରୁ ଏହି ନୂତନ ନୀତି କାର୍ଯ୍ୟକାରୀ କରାଯିବ। ଯେଉଁଠାରେ ଜମିର ଅଭାବ ରହିବ ସେଠାରେ ଘର ଦିଆଯିବ। ରାଜସ୍ବ ବିଭାଗ ଜମି ଦେବ, ନଗର ଉନ୍ନୟନ ବିଭାଗ ଉନ୍ନୟନ କରିବ ଏବଂ ସହରାଞ୍ଚଳ ଗରିବମାନଙ୍କୁ ସରକାର-ଘରୋଇ ସହଭାଗିତା(ପିପିପି) ମଡେଲରେ ଫ୍ଲାଟ ନିର୍ମାଣ କରି ଯୋଗାଇ ଦେବେ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ଯେଉଁସବୁ ଅଞ୍ଚଳରେ ଅହେତୁକ ଭାବେ ଜମିର ଦର ବୃଦ୍ଧି ହୋଇଥିବା ଅଭିଯୋଗ ଆସୁଛି ତାହାକୁ ତର୍ଜମା କରିବାକୁ ଏକ କମିଟି ଗଠନ କରିବା ଲାଗି ନିର୍ଦେଶ ଦିଆଯାଇଛି। ଉକ୍ତ କମିଟି ଜମିର ବାସ୍ତବିକ ଦର କେତେ ହେବା କଥା ତାହା ଅନୁଧ୍ୟାନ କରି ରିପୋର୍ଟ ଦେଲେ, ସେହି ଅନୁସାରେ ଦର ପୁନନିର୍ଦ୍ଧାରଣ ଲାଗି ବିଚାର କରାଯିବ। ତେବେ ପ୍ରତ୍ୟେକ ୨ବର୍ଷରେ ଥରେ ଜମିର ଦର ନିର୍ଦ୍ଧାରଣ ହେବା ନିୟମ ରହିଛି। ସେହି ଅନୁସାରେ ଜମିର ପଞ୍ଜୀକରଣ ମୂଲ୍ୟ ଏବଂ ବାଜର ଦରକୁ ନେଇ ଜମିର ମୂଲ୍ୟାୟନ କରାଯାଇଥାଏ। ଯେଉଁଠାରେ ଏଭଳି ଅଭିଯୋଗ ରହିଛି ତାହାକୁ ବିଭାଗ ଅନୁଧ୍ୟାନ କରିବ ବୋଲି ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *