Spread the love

ପଖାଳ କେବଳ ଏକ ଆହାର ନୁହେଁ, ବରଂ ଏହା ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପଖାଳ ଦିବସର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଆ ଖାଦ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା।ଓଡ଼ିଶାର ପ୍ରମୁଖ ଗ୍ରୀଷ୍ମକାଳୀନ ଖାଦ୍ୟ ‘ପଖାଳ’ର ଲୋକପ୍ରିୟତାକୁ ଆହୁରି ବଢ଼ାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପାନ୍ଥନିବାସରେ ରାଜ୍ୟସ୍ତରୀୟ ‘ପଖାଳ ପରବ’ ହୋଇଯାଇଛି।

କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୮୫୦ କିଲୋଗ୍ରାମ ଚାଉଳରେ ପ୍ରସ୍ତୁତ ୧୧୭୪ କିଲୋଗ୍ରାମର ପଖାଳ ସମସ୍ତଙ୍କୁ ଆକର୍ଷିତ କରିଥିଲା ଓ ଏହା ଗିନିଜ ୱାର୍ଲ୍ଡ ରେକର୍ଡ ହାସଲ କରିଛି।ବିଭାଗ ପକ୍ଷରୁ କୁହାଯାଇଛି, ଏହି ଅସାଧାରଣ କୃତି କେବଳ ଓଡ଼ିଶାର ସମୃଦ୍ଧ ରନ୍ଧନ ଶୈଳୀ ଓ ପରମ୍ପରାକୁ ସମ୍ମାନିତ କରୁନାହିଁ, ବରଂ ଓଡ଼ିଆ ସଂସ୍କୃତି ଓ ଦୈନନ୍ଦିନ ଜୀବନ ସହ ଜଡ଼ିତ ଆମର ପ୍ରିୟ ‘ପଖାଳ’କୁ ଅନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ଦେଇଛି। ଏହି ସଫଳତା ଓଡ଼ିଶାର ଦେଶୀ ଖାଦ୍ୟ ପରମ୍ପରାକୁ ବିଶ୍ୱ ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପ୍ରଦାନ କରିଛି। ଏହା ପ୍ରମାଣିତ କରିଛି ଯେ, କିଭଳି ପଖାଳ ଭାତ ଏକ ସାଧାରଣ ଖାଦ୍ୟରୁ ଆଜି ସାଂସ୍କୃତିକ ଗର୍ବ ଏବଂ ବିଶ୍ୱସ୍ତରୀୟ ମାନ୍ୟତାର ପ୍ରତୀକ ପାଲଟିଛି।ପଖାଳର ସବୁଠାରୁ ବଡ଼ ଗୁଣ ହେଉଛି ଏହା ‘ଜିରୋ ୱେଷ୍ଟ’ ଖାଦ୍ୟ। ଏହାସହିତ ବିଶ୍ବ ପଖାଳ ଦିବସ ଆଜି ଆଉ କେବଳ ଓଡ଼ିଶାରେ ପାଳନ କରାଯାଉନାହିଁ। ଏହା ଏବେ ଏକ ବିଶ୍ୱସ୍ତରୀୟ ଉତ୍ସବ ପାଲଟିଛି। ଭାରତର ବିଭିନ୍ନ ସ୍ଥାନରେ ଏବଂ ବିଶ୍ବର ବିଭିନ୍ନ ସ୍ଥାନରେ ରହୁଥିବା ଓଡ଼ିଆ ଏହି ଦିନକୁ ପାଳନ କରୁଛନ୍ତି। ଦେଶ ବିଦେଶରେ ରହୁଥିବା ଓଡ଼ିଆଙ୍କୁ ନିଜ ମାଟି ସହିତ ଯୋଡ଼ି ରଖିବାର ଏକ ମାଧ୍ୟମ ହୋଇଛି ପଖାଳ।

Leave a Reply

Your email address will not be published. Required fields are marked *