ଗୋ-ପ୍ରଜନନ ନିୟନ୍ତ୍ରଣ ପାଇଁ ନୂଆ ଆଇନ ଆଣିବ ଓଡ଼ିଶା, କ୍ୟାବିନେଟ୍ରେ ୨୦୨୬ ବିଧେୟକକୁ ମଞ୍ଜୁରି
ଭୁବନେଶ୍ୱର : ରାଜ୍ୟରେ ଗୋପାଳନ ଓ ପ୍ରାଣୀଧନ କ୍ଷେତ୍ରର ବିକାଶକୁ ନୂଆ ଦିଗ ଦେବାକୁ ଯାଉଛନ୍ତି ଓଡ଼ିଶା ସରକାର। ଗାଈ ଓ ମଇଁଷିଙ୍କ ବୈଜ୍ଞାନିକ ପ୍ରଜନନ, ଉନ୍ନତ ଜାତିର ପ୍ରାଣୀ ସୃଷ୍ଟି ଏବଂ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ରାଜ୍ୟ କ୍ୟାବିନେଟ୍ ‘ଓଡ଼ିଶା ଗୋ-ପ୍ରଜନନ (ନିୟନ୍ତ୍ରଣ) ବିଧେୟକ, ୨୦୨୬’ର ଚିଠାକୁ ଅନୁମୋଦନ କରିଛି। ଏହି ବିଧେୟକକୁ ଆଗାମୀ ଦିନରେ ବିଧାନସଭାରେ ଉପସ୍ଥାପନ କରାଯିବ।
ପ୍ରସ୍ତାବିତ ଆଇନ ଅନୁଯାୟୀ, ଗୋ-ପ୍ରଜନନ ସେବାକୁ ଏକ ନିୟନ୍ତ୍ରିତ ଓ ବୈଜ୍ଞାନିକ ବ୍ୟବସ୍ଥା ମଧ୍ୟକୁ ଅଣାଯିବ। ଏଥିପାଇଁ ‘ଓଡ଼ିଶା ଗୋ-ପ୍ରଜନନ ନିୟନ୍ତ୍ରଣ କର୍ତ୍ତୃପକ୍ଷ’ ଗଠନ କରାଯିବ। ଏହି ସଂସ୍ଥା ପ୍ରଜନନ ସଂସ୍ଥାଗୁଡ଼ିକର ପଞ୍ଜୀକରଣ, ପ୍ରମାଣପତ୍ର ପ୍ରଦାନ, ସେବାର ଗୁଣବତ୍ତା ଯାଞ୍ଚ ଏବଂ ଆଇନର ନିୟମାବଳୀ କାର୍ଯ୍ୟକାରିତା ଉପରେ ନଜର ରଖିବ।
ନୂଆ ଆଇନରେ କୃତ୍ରିମ ପ୍ରଜନନ କେନ୍ଦ୍ର, ଶୁକ୍ର ଉତ୍ପାଦନ କେନ୍ଦ୍ର, ଶୁକ୍ର ଭଣ୍ଡାର, କୃତ୍ରିମ ପ୍ରଜନନକାରୀ ଏବଂ ଉନ୍ନତ ପ୍ରଜନନ ପ୍ରଯୁକ୍ତିବିଦ୍ୟା ସଂସ୍ଥାଗୁଡ଼ିକର ପଞ୍ଜୀକରଣ ବାଧ୍ୟତାମୂଳକ ହେବ। କେବଳ ପଞ୍ଜୀକୃତ କୃତ୍ରିମ ପ୍ରଜନନକାରୀ କିମ୍ବା ପଞ୍ଜୀକୃତ ପ୍ରାଣୀ ଚିକିତ୍ସକ ହିଁ ଏହି ସେବା ଯୋଗାଇ ପାରିବେ।
ଚାଷୀଙ୍କୁ ନିମ୍ନମାନର ପ୍ରଜନନ ସାମଗ୍ରୀ ଓ ଅନଧିକୃତ ସେବାରୁ ସୁରକ୍ଷା ଦେବାକୁ ମଧ୍ୟ ଆଇନରେ ବିଶେଷ ବ୍ୟବସ୍ଥା ରହିଛି। ଶୁକ୍ର, ଭ୍ରୂଣ ଏବଂ ଅନ୍ୟାନ୍ୟ ପ୍ରଜନନ ସାମଗ୍ରୀର ଗୁଣବତ୍ତା ଯାଞ୍ଚ ସହ ଏହାର ଉତ୍ସ ଚିହ୍ନଟ କରିବାର ବ୍ୟବସ୍ଥା କରାଯିବ। ନିୟମ ଉଲ୍ଲଂଘନ କରୁଥିବା ସଂସ୍ଥା ଓ ବ୍ୟକ୍ତିଙ୍କ ବିରୋଧରେ ଯାଞ୍ଚ, ସୁଧାରମୂଳକ ପଦକ୍ଷେପ ଏବଂ ଦଣ୍ଡବିଧାନ କରାଯାଇପାରିବ।
ଏହାବ୍ୟତୀତ ପ୍ରାଣୀଧନର ବଂଶାବଳୀ ଓ ପ୍ରଜନନ ସମ୍ପର୍କିତ ତଥ୍ୟକୁ ଡିଜିଟାଲ୍ ମାଧ୍ୟମରେ ସଂରକ୍ଷଣ କରିବା ପାଇଁ ‘ରାଜ୍ୟ ଡିଜିଟାଲ୍ ପ୍ରାଣୀଧନ ପ୍ରଜନନ ରେଜିଷ୍ଟ୍ରି’ ପ୍ରତିଷ୍ଠା ହେବ। ଏହା ମାଧ୍ୟମରେ ପ୍ରାଣୀଙ୍କ ପରିଚୟ, ବଂଶାବଳୀ, ଜନକତ୍ୱ ଯାଞ୍ଚ ଏବଂ ପ୍ରଜନନର ଫଳାଫଳ ଉପରେ ନଜର ରଖାଯାଇପାରିବ।
ସେହିପରି ଦେଶୀ ପ୍ରଜାତିର ସଂରକ୍ଷଣ, ଆନୁବଂଶିକ ଗୁଣର ଉନ୍ନତି, ଆଧୁନିକ ପ୍ରଜନନ ପ୍ରଣାଳୀର ବିକାଶ, ଗବେଷଣା ଓ ପ୍ରଶିକ୍ଷଣକୁ ପ୍ରୋତ୍ସାହନ ଦେବା ପାଇଁ ‘ଓଡ଼ିଶା ଗୋବଂଶ ଆନୁବଂଶିକ ଉନ୍ନତି ପାଣ୍ଠି’ ଗଠନର ପ୍ରସ୍ତାବ ରହିଛି।
ବିଧେୟକରେ ଲିଙ୍ଗ ନିରୂପିତ ଶୁକ୍ର (ସେକ୍ସ ସର୍ଟେଡ୍ ସିମେନ୍), ଇନ୍-ଭିଟ୍ରୋ ଫର୍ଟିଲାଇଜେସନ୍ (IVF) ଏବଂ ଭ୍ରୂଣ ପ୍ରତିରୋପଣ ଭଳି ଆଧୁନିକ ପ୍ରଜନନ ପ୍ରଯୁକ୍ତିର ନିୟନ୍ତ୍ରିତ ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ଅଧିକ ଉତ୍ପାଦନକ୍ଷମ ବାଛୁରୀ ସୃଷ୍ଟି ସହ ଗାଈ ଓ ମଇଁଷିଙ୍କ ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବା ଆଶା ରହିଛି।
ସରକାରଙ୍କ ଏହି ପଦକ୍ଷେପ ଚାଷୀଙ୍କ ଆୟ ବୃଦ୍ଧି, ପ୍ରାଣୀପାଳନକୁ ଏକ ସ୍ଥାୟୀ ଜୀବିକା ଭାବେ ଗଢ଼ିତୋଳିବା ଏବଂ ରାଜ୍ୟର ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ସୁଦୃଢ଼ କରିବାରେ ସହାୟକ ହେବ। ଏଥିସହ ‘ବିକଶିତ ଓଡ଼ିଶା ୨୦୩୬-୪୭’ର ଲକ୍ଷ୍ୟ ପୂରଣ ଦିଗରେ ଏହି ଆଇନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଆଶା କରାଯାଉଛି।
ତେବେ ବିଧାନସଭାରେ ବିଧେୟକ ପାରିତ ହେବା ଏବଂ ସରକାରୀ ବିଜ୍ଞପ୍ତି ପ୍ରକାଶ ପରେ ଏହାର କାର୍ଯ୍ୟକାରିତା ପର୍ଯ୍ୟାୟକ୍ରମେ ଆରମ୍ଭ ହେବ।
