### OCS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଉଠିଲା ପରୀକ୍ଷା ଦେବାର ପ୍ରୟାସ ସୀମା
ବୟସ ଓ ଅନ୍ୟ ଯୋଗ୍ୟତା ପୂରଣ କଲେ ଯେତେଥର ଚାହିଁବେ ଦେଇପାରିବେ OCS ପରୀକ୍ଷା; ନିୟମ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ର ମଞ୍ଜୁରି
ଭୁବନେଶ୍ୱର: ଓଡ଼ିଶା ସିଭିଲ ସର୍ଭିସେସ୍ (OCS) ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଏଣିକି OCS ପରୀକ୍ଷା ଦେବା ପାଇଁ ପ୍ରୟାସ ସଂଖ୍ୟା ଉପରେ ରହିବ ନାହିଁ କୌଣସି କଟକଣା। ଧାର୍ଯ୍ୟ ବୟସସୀମା ଓ ଅନ୍ୟାନ୍ୟ ଯୋଗ୍ୟତା ପୂରଣ କରୁଥିବା ପ୍ରାର୍ଥୀମାନେ ଯେତେଥର ଇଚ୍ଛା ପରୀକ୍ଷା ଦେଇପାରିବେ।
ଏ ସମ୍ପର୍କରେ ଓଡ଼ିଶା ସିଭିଲ ସର୍ଭିସେସ୍ (ସମନ୍ୱିତ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା) ନିୟମାବଳୀ, ୧୯୯୧ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, OCS ପରୀକ୍ଷାରେ ଅବତୀର୍ଣ୍ଣ ହେବା ପାଇଁ ରହିଥିବା ସମସ୍ତ ପ୍ରୟାସ ସୀମା ଉଚ୍ଛେଦ କରାଯିବ। ଫଳରେ ବୟସସୀମା ମଧ୍ୟରେ ଥିବା ଏବଂ ନିର୍ଦ୍ଧାରିତ ଶିକ୍ଷାଗତ ଓ ଅନ୍ୟାନ୍ୟ ଯୋଗ୍ୟତା ପୂରଣ କରୁଥିବା ପ୍ରାର୍ଥୀଙ୍କୁ ପରୀକ୍ଷା ଦେବା ପାଇଁ ଆଉ ପ୍ରୟାସ ସଂଖ୍ୟାକୁ ନେଇ ଚିନ୍ତା କରିବାକୁ ପଡ଼ିବ ନାହିଁ।
ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା OCS ଆଶାୟୀଙ୍କୁ ଅଧିକ ସୁଯୋଗ ମିଳିବା ସହ ମେଧାଭିତ୍ତିକ ଚୟନ ପ୍ରକ୍ରିୟା ଅଧିକ ନ୍ୟାୟସଙ୍ଗତ ଓ ବ୍ୟାପକ ହୋଇପାରିବ ବୋଲି ଆଶା କରାଯାଉଛି।
ତେବେ ପ୍ରୟାସ ସଂଖ୍ୟାର କଟକଣା ହଟିବା ସତ୍ତ୍ୱେ ନିର୍ଦ୍ଧାରିତ ବୟସସୀମା ଓ ଅନ୍ୟାନ୍ୟ ଯୋଗ୍ୟତା ସର୍ତ୍ତ ବଳବତ୍ତର ରହିବ। ଏହି ନିଷ୍ପତ୍ତି ରାଜ୍ୟର ହଜାର ହଜାର ସିଭିଲ ସର୍ଭିସ୍ ଆଶାୟୀଙ୍କ ପାଇଁ ନୂଆ ଆଶା ସୃଷ୍ଟି କରିଛି।
