Spread the love

‘ଘୃଣା ନୁହେଁ, ସଂସ୍କାରର ଆବଶ୍ୟକତା ଅଛି’; ଗାଳି ଦେଇଥିବା ପିଲାମାନଙ୍କୁ କ୍ଷମା କରିବା କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, ୧ ଅଗଷ୍ଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତାରେ ଜନ୍ତର ମନ୍ତର ପ୍ରତିବାଦ ସମୟରେ ତାଙ୍କ ପ୍ରତି ଅପମାନଜନକ ଭାଷା ବ୍ୟବହାର କରିଥିବା କିଛି ପିଲାଙ୍କୁ କ୍ଷମା କରିବା କଥା କହିଛନ୍ତି। ସେ କହିଛନ୍ତି, ଭୁଲ୍ କରିଥିବା ପିଲାମାନଙ୍କୁ ଘୃଣା କିମ୍ବା କଠୋର ଦଣ୍ଡ ନୁହେଁ, ବରଂ ସଠିକ୍ ମାର୍ଗଦର୍ଶନର ଆବଶ୍ୟକତା ରହିଛି।

ଇନଷ୍ଟାଗ୍ରାମରେ ପ୍ରକାଶିତ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜନ୍ତର ମନ୍ତରରେ ହୋଇଥିବା ପ୍ରତିବାଦ ସମୟରେ ତାଙ୍କୁ ଏବଂ ତାଙ୍କ ସ୍ୱର୍ଗତ ମାଆଙ୍କୁ ନେଇ ଅଶୋଭନୀୟ ଟିପ୍ପଣୀ କରାଯାଇଥିଲା। ତଥାପି ସେ ଏହି ଘଟଣାକୁ ପ୍ରତିଶୋଧର ଦୃଷ୍ଟିରେ ନଦେଖି କ୍ଷମାଶୀଳତାର ପରିଚୟ ଦେବାକୁ ଚାହୁଁଥିବା କହିଛନ୍ତି।

ମୋଦୀ କହିଛନ୍ତି, ପିଲାବେଳେ ଭୁଲ୍ ହୋଇପାରେ ଏବଂ ସେହି ଭୁଲ୍‌କୁ ସଂଶୋଧନ କରିବାର ସୁଯୋଗ ମଧ୍ୟ ମିଳିବା ଉଚିତ। ସମାଜରେ ଏହି ଘଟଣାକୁ ନେଇ ଅସନ୍ତୋଷ ଥିବା ସେ ସ୍ୱୀକାର କରିଥିଲେ ମଧ୍ୟ, ପିଲାମାନଙ୍କୁ ଦଣ୍ଡିତ କରିବା ଅପେକ୍ଷା ସେମାନଙ୍କୁ ଭଲ ମୂଲ୍ୟବୋଧ ଓ ସଂସ୍କାର ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ଏପରି ପିଲାମାନଙ୍କୁ କୋର୍ଟ କିମ୍ବା ଆଇନଗତ ପ୍ରକ୍ରିୟାରେ ଜଡ଼ାଇବା ଅପେକ୍ଷା ସ୍ନେହ ଓ ପରାମର୍ଶ ମାଧ୍ୟମରେ ସଠିକ୍ ପଥକୁ ଫେରାଇ ଆଣିବା ସମାଜର ଦାୟିତ୍ୱ। ଏହି କାରଣରୁ ସେ ସମ୍ପୃକ୍ତ ପିଲାମାନଙ୍କୁ କ୍ଷମା କରିବାର ନିଷ୍ପତ୍ତି ନେଇଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *