Spread the love

ଜରୁରୀକାଳୀନ ପ୍ରସ୍ତୁତିର ମୁକାବିଲା ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ସୁରକ୍ଷା ମକ୍ ଡ୍ରିଲ୍


ମେରାମଣ୍ଡଳୀ, ୧ ସେପ୍ଟେମ୍ବର ୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସଏମ୍‌) ପକ୍ଷରୁ ଏହାର ଗେଟ୍‌-୧ ବସ୍ ପାର୍କିଂ ଅଞ୍ଚଳରେ ଏକ ଜରୁରୀକାଳୀନ ସୁରକ୍ଷା ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଏବଂ କାରଖାନାର ଜରୁରୀକାଳୀନ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ମକ୍‌ଡ୍ରିଲର ଆୟୋଜନ କରାଯାଇଥିଲା।
ଏ ନେଇ ପ୍ଲାଣ୍ଟର ପ୍ରବେଶ ପଥରେ ଏକ ଟ୍ୟାଙ୍କରରୁ ଆକ୍ୱିଅସ୍ ଆମୋନିଆ ଗ୍ୟାସ୍ ଲିକ୍ ହେବାର କାଳ୍ପନିକ ପରିସ୍ଥିତି ସୃଷ୍ଟି କରାଯାଇଥିଲା। ଏହି ଜରୁରୀ ପରିସ୍ଥିତିର ମୁକାବିଲା, ଗ୍ୟାସ୍ ନିର୍ଗମନ ନିୟନ୍ତ୍ରଣ କରିବା ଏବଂ ବିଭିନ୍ନ ଜରୁରୀକାଳୀନ ସେବା ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା କ୍ଷେତ୍ରରେ ଟାଟା ଷ୍ଟିଲର ପ୍ରତିକ୍ରିୟା ଦକ୍ଷତା ପରୀକ୍ଷଣ କରାଯାଇଥିଲା।


ଢେଙ୍କାନାଳ ଜୋନ୍‌ର କାରଖାନା ଓ ବଏଲର ସହକାରୀ ନିର୍ଦ୍ଦେଶକ ବିଶ୍ୱଜିତ୍ ପାଣିଗ୍ରାହୀ, ଢେଙ୍କାନାଳ ଏଏଫଓ ଷ୍ଟେସନ ଅଫିସର ଦୀନବନ୍ଧୁ ମଲ୍ଲିକ ଏବଂ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ବ୍ଲାଷ୍ଟ ଫର୍ଣ୍ଣେସ୍ ଚିଫ୍ ମୟଙ୍କ ତିୱାରୀଙ୍କ ତତ୍ତ୍ୱାବଧାନରେ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କ ମଧ୍ୟରେ କୁସୁପଙ୍ଗା ପଞ୍ଚାୟତର ସରପଞ୍ଚ ଅନିତା ନାୟକ ଏବଂ ନୂଆହାତା ପଞ୍ଚାୟତର ସରପଞ୍ଚ ରେଣୁବାଳା ଧୀର ମଧ୍ୟ ଏହି ମକ୍ ଡ୍ରିଲ୍‌‌ରେ ଉପସ୍ଥିତ ଥିଲେ।
ମକଡ୍ରିଲ୍ ଶେଷରେ ଉପସ୍ଥିତ ଅଧିକାରୀ ଓ ସଂସ୍ଥାର ପ୍ରତିନିଧିମାନେ ମତାମତ ରଖିବା ସହ ପରାମର୍ଶ ଦେଇଥିଲେ, ଯାହା ଆଗାମୀ ଦିନରେ ଜରୁରୀକାଳୀନ ସୁରକ୍ଷା ନିୟମକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ।
ସ୍ଥାନୀୟ ଲୋକାଲ କ୍ରାଇସିସ୍ ଗ୍ରୁପର ସଦସ୍ୟ ତଥା ରୁଙ୍ଗଟା ସନ୍ସ ପ୍ରାଇଭେଟ୍ ଲିମିଟେଡ୍‌, ଏମ୍‌‌ଜିଏମ୍ ମିନେରାଲ୍ସ ଲିମିଟେଡ୍ (ଷ୍ଟିଲ୍ ଡିଭିଜନ୍‌-୧, ଢେଙ୍କାନାଳ), ରୁଙ୍ଗଟା ମାଇନ୍ସ ଲିମିଟେଡ୍‌, ଢେଙ୍କାନାଳ ଷ୍ଟିଲ୍ ପ୍ଲାଣ୍ଟ, ରିମ୍‌‌ଝିମ୍ ଇସ୍ପାତ ଲିମିଟେଡ୍‌, ନାଭା ଲିମିଟେଡ୍‌, ଜିଏମ୍‌‌ଆର୍ କମଳାଙ୍ଗ ଏନର୍ଜି ଲିମିଟେଡ୍ ଏବଂ ଅନୁଗୋଳ ଏନର୍ଜି ଲିମିଟେଡ୍‌‌ର ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।
ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ଏହି ନିୟମିତ ସୁରକ୍ଷା ମକ୍ ଡ୍ରିଲ୍ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପ୍ରକ୍ରିୟାକୁ ସୁଦୃଢ଼ କରିବ ।

Leave a Reply

Your email address will not be published. Required fields are marked *