Spread the love

*ଜାତୀୟ ଏକତା ଦିବସରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଶପଥ ପାଠ*

ଭୁବନେଶ୍ୱର, ୩୧।୧୦:

ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବା ସହ ଜାତୀୟ ସଂହତିର ଭାବନାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାତୀୟ ଏକତା ଦିବସ ପାଳନ କରାଯାଇଛି। ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଖାରବେଳ ଭବନଠାରେ ଆୟୋଜିତ ଏକ ଶପଥ ପାଠ କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ସ୍ତରର କର୍ମଚାରୀ ଯୋଗଦେଇ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ଅକ୍ଷୁଣ୍ଣ ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ ।

ଏହି ଅବସରରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଜାତୀୟ ସଂହତି ରକ୍ଷା ଦିଗରେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ରହିବା ସହ ନାଗରିକଙ୍କ ମଧ୍ୟରେ ଭାତୃତ୍ୱ, ସଦ୍‌ଭାବନା ଓ ଐକ୍ୟଭାବ ବଜାୟ ରଖିବାକୁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ।

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅଦମ୍ୟ ନେତୃତ୍ୱ ଓ ଜାତୀୟ ଏକତା ପ୍ରତି ଅବିସ୍ମରଣୀୟ ଅବଦାନକୁ ସ୍ମରଣ କରିବା ସହ ଦେଶବାସୀଙ୍କ ମଧ୍ୟରେ ଏକତା, ସାମୂହିକ ଦାୟିତ୍ୱବୋଧ ଓ ଦେଶପ୍ରେମର ଭାବନା ଜାଗ୍ରତ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖକୁ ‘ଜାତୀୟ ଏକତା ଦିବସ’ ବା ‘ରାଷ୍ଟ୍ରୀୟ ଏକତା ଦିବସ’ ଭାବେ ପାଳନ କରାଯାଏ ।

ବିଭାଗ ପକ୍ଷରୁ ଆୟୋଜିତ ଏହି ଶପଥ ପାଠ କାର୍ଯ୍ୟକ୍ରମ ସର୍ଦ୍ଦାର ପଟେଲଙ୍କ ଏକତା ଓ ଜାତୀୟ ସଂହତିର ବାର୍ତ୍ତାକୁ ପୁନର୍ବାର ସ୍ମରଣ କରାଇବା ସହ ଦେଶର ଏକତା ଓ ଅଖଣ୍ଡତା ରକ୍ଷା ଦିଗରେ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଭୂମିକା ଓ ଦାୟିତ୍ୱବୋଧର ଗୁରୁତ୍ୱକୁ ପ୍ରତିପାଦିତ କରିଥିଲା ।
………

Leave a Reply

Your email address will not be published. Required fields are marked *