Spread the love

ଜାତୀୟ କ୍ରୀଡାରେ ଓଡ଼ିଶା ପୋଲିସର କମାଲ; ୧୨ କ୍ରୀଡାବିତଙ୍କୁ ଡିଜିପିଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୩ ଅଗଷ୍ଟ: ଜାତୀୟ ସ୍ତରର ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଓଡ଼ିଶା ପୋଲିସର ୧୨ ଜଣ କ୍ରୀଡାବିତ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତାକୁ ସମ୍ମାନ ଜଣାଇବା ପାଇଁ ଭୁବନେଶ୍ୱରସ୍ଥିତ କମିଶନରେଟ୍ ପୋଲିସ ମୁଖ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ କୃତୀ କ୍ରୀଡାବିତଙ୍କୁ ସମ୍ମାନିତ କରିଛନ୍ତି।

ହାଇଦ୍ରାବାଦରେ ଅନୁଷ୍ଠିତ ୧୧ତମ ସର୍ବଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର (୨୦୨୬-୨୭) ଏବଂ ପୁଣେରେ ଆୟୋଜିତ ୫ମ ସିନିୟର ନ୍ୟାସନାଲ ଇଣ୍ଡିଆ ତାଇକୋଣ୍ଡୋ ପୁମସେ ଚାମ୍ପିୟନସିପ୍-୨୦୨୬ରେ ଓଡ଼ିଶା ପୋଲିସର ଉଷୁ, ତାଇକୋଣ୍ଡୋ, କରାଟେ ଓ ପେନକାକ ସିଲଟ ଦଳର କ୍ରୀଡାବିତମାନେ ଅଂଶଗ୍ରହଣ କରି ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ।

ଡିଜିପି ଶ୍ରୀ ଖୁରାନିଆ ସମସ୍ତ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଅଧ୍ୟବସାୟ, ନିଷ୍ଠା ଏବଂ କ୍ରୀଡା ପ୍ରତିଭାର ଉଚ୍ଚ ପ୍ରଶଂସା କରିଥିଲେ। ଭବିଷ୍ୟତରେ ମଧ୍ୟ ସେମାନେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶା ପୋଲିସର ସୁନାମ ଅକ୍ଷୁଣ୍ଣ ରଖିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ ରୌପ୍ୟ ପଦକ ବିଜେତାଙ୍କୁ ୪ ହଜାର ଟଙ୍କା ଏବଂ କାଂସ୍ୟ ପଦକ ବିଜେତାଙ୍କୁ ୩ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା।

ପଦକ ବିଜେତାଙ୍କ ମଧ୍ୟରେ ସାଶ୍ୱତୀ ନାୟକ, ସତ୍ୟପ୍ରକାଶ ମହାନ୍ତି, ବ୍ରତତୀ ବିଶ୍ୱପ୍ରଭା ପତି, ରଜନୀ ବିଶି, ଡି. ଭଗବାନ ରେଡ୍ଡୀ, ରୀତେଶ ରାୟ ଏବଂ ଯୋଗେଶ ବରିହା ପ୍ରମୁଖ ରହିଛନ୍ତି।

ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଡିଜି (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, କଟକ-ଭୁବନେଶ୍ୱର ପୋଲିସ କମିଶନର ଡଃ ଦେବଦତ୍ତ ସିଂଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି କ୍ରୀଡାବିତଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ଓଡ଼ିଶା ପୋଲିସର କ୍ରୀଡା ଅଧିକାରୀ ନୀଳମାଧବ ସ୍ୱାଇଁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *