ବାଲିଗୁଡ଼ାରେ ମା’ ଶ୍ୟାମା କାଳୀଙ୍କ ପୂଜା ମହୋତ୍ସବ : ଦୀପଦାନ ସହ ପିତୃ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି
ବାଲିଗୁଡ଼ା, ୯/୧୧:(ସୁଶୀଳ କୁମାର ପାଣିଗ୍ରାହୀ): ପବିତ୍ର ଦୀପାବଳି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ମା’ ଶ୍ୟାମା କାଳୀଙ୍କ ପୂଜା ମହାଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରମ୍ପରିକ ବିଧିବିଧାନ ଓ ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ଦକ୍ଷ ପୂଜକ ଓ ପୁରୋହିତଙ୍କ ଦ୍ୱାରା ମା’ଙ୍କ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ବିଭିନ୍ନ ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ ପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଭକ୍ତି ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା। ପୂଜାର ସୁପରିଚାଳନା ନିମନ୍ତେ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଅନ୍ୟପକ୍ଷରେ ଦୀପାବଳି ଅବସରରେ ସହରର ଘରେ ଘରେ ଦୀପ ଜଳାଇ ଆଲୋକର ପର୍ବ ପାଳନ କରାଯାଇଥିଲା। ପରମ୍ପରା ଅନୁଯାୟୀ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିବା ସହ କାଉଁରିଆ କାଠି ଜାଳି ଆକାଶ ମାର୍ଗକୁ ଦେଖାଇ ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ। ଧାର୍ମିକ ଆସ୍ଥା, ପାରମ୍ପରିକ ବିଶ୍ୱାସ ଓ ଆଧ୍ୟାତ୍ମିକ ଭାବଧାରା ମଧ୍ୟରେ ବାଲିଗୁଡ଼ାରେ ଦୀପାବଳି ପର୍ବ ଶାନ୍ତିପୂର୍ଣ୍ଣ ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଥିଲା।
