ଜାମ୍ରେ ଧାଡ଼ି ଭାଙ୍ଗି ଓଭରଟେକ୍ ମହଙ୍ଗା ପଡ଼ିଲା
ଅମାନିଆ ଚାଳକଙ୍କଠାରୁ ୧.୮ ଲକ୍ଷ ଟଙ୍କା ଜରିମାନା
ବଅଁରପାଳ: ୫୫ ନମ୍ବର ଜାତୀୟ ରାଜପଥରେ ଲାଗି ରହିଥିବା ଭାରୀଯାନ ଜାମ୍କୁ ନେଇ ଯାତାୟାତ ବ୍ୟବସ୍ଥା ବିଗିଡ଼ିଥିବା ବେଳେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଚାଳକଙ୍କ ବିରୋଧରେ ବଅଁରପାଳ ପୁଲିସ କଡ଼ା ପଦକ୍ଷେପ ନେଇଛି।
ନୂଆହତା ଓଭରବ୍ରିଜ୍ଠାରୁ ତାଳଚେର ଏବଂ ବାଇପାସ୍ ଦେଇ ଅନୁଗୋଳ ପର୍ଯ୍ୟନ୍ତ ଭାରୀଯାନର ଲମ୍ବା ଧାଡ଼ି ଯୋଗୁଁ ରାଜପଥରେ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଜାମ୍ରେ ଫସିଥିବା କେତେକ ଚାଳକ ନିୟମ ନମାନି ଧାଡ଼ି ଭାଙ୍ଗି ଆଗକୁ ବଢ଼ିବା ସହ ବିପଜ୍ଜନକ ଭାବେ ଓଭରଟେକ୍ କରୁଥିବା ଅଭିଯୋଗ ହୋଇଥିଲା। ଏହା ଦ୍ୱାରା ଦୁର୍ଘଟଣା ଆଶଙ୍କା ସହ ଟ୍ରାଫିକ୍ ସମସ୍ୟା ଆହୁରି ଜଟିଳ ହେଉଥିଲା।
ପରିସ୍ଥିତିକୁ ଦୃଷ୍ଟିରେ ରଖି ବଅଁରପାଳ ଥାନା ଅଧିକାରୀ ଅୟସକାନ୍ତ ଜେନାଙ୍କ ନେତୃତ୍ୱରେ ରାଜପଥରେ ଟ୍ରାଫିକ୍ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଯାଞ୍ଚ ସମୟରେ ନିୟମ ଉଲ୍ଲଂଘନ କରିଥିବା ଚାଳକଙ୍କଠାରୁ ମୋଟ ୧ ଲକ୍ଷ ୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ ବିପଜ୍ଜନକ ଭାବେ ଗାଡ଼ି ଚଳାଇଥିବା ଜଣେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ପାଇଁ ସୁପାରିସ କରାଯାଇଛି।
ଭାରୀଯାନ ଜାମ୍ ଯୋଗୁଁ ଆମ୍ବୁଲାନ୍ସ ସମେତ ଅନ୍ୟାନ୍ୟ ଜରୁରୀକାଳୀନ ଯାନ ଚଳାଚଳ ମଧ୍ୟ ପ୍ରଭାବିତ ହେଉଛି। ତେଣୁ ଚାଳକମାନେ ଧାଡ଼ିରେ ଗାଡ଼ି ଚଳାଇବା ସହ ଅନାବଶ୍ୟକ ଓ ବିପଜ୍ଜନକ ଓଭରଟେକ୍ରୁ ନିବୃତ୍ତ ରହିବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।
ଟ୍ରାଫିକ୍ ନିୟମ ଭାଙ୍ଗି ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଉଥିବା ଚାଳକଙ୍କ ବିରୋଧରେ ଆଗାମୀ ଦିନରେ ମଧ୍ୟ ଯାଞ୍ଚ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଥାନାଧିକାରୀ ଅୟସକାନ୍ତ ଜେନା ସୂଚନା ଦେଇଛନ୍ତି।
