୪୦୦ କେଭି ଟ୍ରାନ୍ସମିଶନ ଲାଇନ ତାର ଚୋରିର ପର୍ଦାଫାଶ
୧୦ ଗିରଫ, ୬ ବଣ୍ଡଲ ଆଲୁମିନିୟମ ତାର ସହ ପିକ୍ଅପ୍ ଭ୍ୟାନ୍ ଜବତ
ଅନୁଗୋଳ: ୪୦୦ କେଭି ବିଦ୍ୟୁତ ଟ୍ରାନ୍ସମିଶନ ଲାଇନରୁ ଆଲୁମିନିୟମ ତାର କାଟି ଚୋରି କରାଯାଇଥିବା ଘଟଣାର ପର୍ଦାଫାଶ କରିଛି ଅନୁଗୋଳ ପୁଲିସ। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ମୋଟ ୧୦ ଜଣଙ୍କୁ ପୁଲିସ ଗିରଫ କରିଛି।
ପୁଲିସ ସୂଚନା ଅନୁଯାୟୀ, ଅନୁଗୋଳ ଥାନା ଅନ୍ତର୍ଗତ ହାଣଡିହ ଗ୍ରାମ ନିକଟରେ ଥିବା ୪୦୦ କେଭି ଟ୍ରାନ୍ସମିଶନ ଲାଇନରୁ ଆଲୁମିନିୟମ ତାର କାଟି ନେଇଯାଇଥିଲେ ଦୁର୍ବୃତ୍ତ। ଘଟଣା ସମ୍ପର୍କରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତମାନଙ୍କ ନିକଟରେ ପହଞ୍ଚିଥିଲା।
ତଦନ୍ତ ସମୟରେ ପୁଲିସ ୬ ବଣ୍ଡଲ ଚୋରି ଆଲୁମିନିୟମ ତାର, ଏକ ପିକ୍ଅପ୍ ଭ୍ୟାନ୍, ତାର କାଟିବାରେ ବ୍ୟବହୃତ ହ୍ୟାକ୍ସ ସମେତ ୧୦ ହଜାର ଟଙ୍କା ନଗଦ ଜବତ କରିଛି।
ଘଟଣାରେ ୧୦ ଜଣଙ୍କୁ ଗିରଫ କରିବା ପରେ ଚୋରି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଏହି ଚୋରି ପଛରେ ଅନ୍ୟ କୌଣସି ନେଟୱର୍କ ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।
