Spread the love

ଗୁରୁଗ୍ରାମ,୪/୮:ହରିୟାଣାର ନୁହ ଜିଲାରେ ଉତ୍ତ୍ୟକ୍ତ ଲୋକେ ଏକ ମସ୍‌ଜିଦରେ ନିଆଁ ଲଗାଇଦେଇଥିବାବେଳେ ଅନ୍ୟ ଏକ ମସ୍‌ଜିଦରେ ଶର୍ଟ ସର୍କିଟରୁ ନିଆଁ ଲାଗିଯାଇଥିବା ପୋଲିସ କହିଛି। ବୁଧବାର ରାତି ସାଢ଼େ ୧୧ଟାରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ କେହି ଆହତ ହୋଇ ନାହାନ୍ତି। ଗୋଟିଏ ମସ୍‌ଜିଦ ବିଜୟ ଚୌକ ନିକଟରେ ଥିବାବେଳେ ଅନ୍ୟଟି ଏକ ଥାନା ପାଖରେ ରହିଛି।

ଉଭୟ ମସ୍‌ଜିଦ କ୍ଷତିଗ୍ରସ୍ତ ହୋଇଛି। ନିଆଁ ଲଗାଇଥିବା ଲୋକଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି।
ନୁହରେ ସୋମବାରଠାରୁ ଆରମ୍ଭ ହୋଇଥିବା ସଂଘର୍ଷ ଗୁରୁଗ୍ରାମ, ସୋହନା ଏବଂ ଅନ୍ୟ ନିକଟବର୍ତ୍ତୀ ଅଞ୍ଚଳକୁ ବ୍ୟାପିଯାଇଛି। ହିଂସା ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପୋଲିସ ୧୭୬ ଜଣଙ୍କୁ ଗିରଫ କରିଛି। ସୋମବାର ବିଶ୍ୱହିନ୍ଦୁ ପରିଷଦର ଧର୍ମୀୟ ଶୋଭାଯାତ୍ରାକୁ ଗୋଟିଏ ସମ୍ପ୍ରଦାୟର ଲୋକେ ଅଟକାଇବା ପରେ ସଂଘର୍ଷର ସୂତ୍ରପାତ ହୋଇଥିଲା। ଇତିମଧ୍ୟରେ ନୁହ, ଫରିଦାବାଦ, ପାଲଓ୍ବାଲ ଏବଂ ଗୁରୁଗ୍ରାମର ସୋହନା, ପଟୌଦି ଓ ମାନେସାରରେ ଇଣ୍ଟରନେଟ ସେବା ଆଂଶିକ ଆରମ୍ଭ ହୋଇଛି।
ରାଜ୍ୟରେ ଶାନ୍ତି ବଜାୟ ରଖିବା ଲାଗି ଗୃହମନ୍ତ୍ରୀ ଅନିଲ ଭିଜ୍‌ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏପର୍ଯ୍ୟନ୍ତ ସାମ୍ପ୍ରଦାୟିକ ହିଂସା ୫ ଜିଲାକୁ ବ୍ୟାପିଥିବାବେଳେ ଘଟଣାରେ ୯୩ ଏତଲା ଦାଏର ହେବା ସହ ୧୭୬ ଜଣଙ୍କୁ ଗିରଫ କରାଯାଇଛି। ନୁହରେ କର୍ଫ୍ୟୁ ଜାରି ରହିଥିବାବେଳେ ଅର୍ଦ୍ଧସାମରିକ ଯବାନମାନେ ଫ୍ଲାଗ୍‌ମାର୍ଚ୍ଚ କରିଥିଲେ। ଗୁରୁଗ୍ରାମର ମୁସଲମାନମାନେ ଶୁକ୍ରବାର ମସ୍‌ଜିଦ ନ ଯାଇ ଘରେ ନମାଜ ପାଠ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଗୁରୁଗ୍ରାମର ଜମାଏତ୍‌ ଉଲମାର ଅଧ୍ୟକ୍ଷ ମୁଫ୍‌ତି ସଲିମ କାସ୍‌ମି ଏକ ଭିଡିଓ ବାର୍ତ୍ତାରେ ମୁସଲମାନମାନଙ୍କୁ ମସ୍‌ଜିଦ କିମ୍ବା ସର୍ବସାଧାରଣ ସ୍ଥାନଠାରୁ ନିଜକୁ ଦୂରେଇ ରଖିବାକୁ କହିଛନ୍ତି।
ହରିୟାଣାରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ଦିଗରେ ସ୍ଥାନୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେଉଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି। ହରିୟାଣା ହିଂସାକୁ ନେଇ ଆମେରିକା ପରରାଷ୍ଟ୍ର ବିଭାଗ ମନ୍ତବ୍ୟ ଦେବା ପରେ ଭାରତର ପ୍ରତିକ୍ରିୟା କ’ଣ ବୋଲି ପ୍ରଶ୍ନ ହେବାରୁ ବାଗ୍‌ଚୀ ଏହା କହିଥିଲେ। ହିଂସାକାଣ୍ଡ ଠାରୁ ଦୁରେଇ ରହିବା ଜରୁରୀ ବୋଲି ବୁଧବାର ଆମେରିକା ପରରାଷ୍ଟ୍ର ବିଭାଗ ମୁଖପାତ୍ର ମାଥ୍ୟୁ ମିଲର କହିଥିଲେ। ଶାନ୍ତି ବଜାୟ ରଖିବାରେ ସମସ୍ତ ଦଳ ସାମିଲ ହେବା ପାଇଁ ସେ ଆହ୍ବାନ ଦେଇଥିଲେ।
ସୋସିଆଲ ମିଡିଆରେ ଉତ୍ତେଜନାପୂର୍ଣ୍ଣ ବିଷୟ/ଭିଡିଓ/ଫଟୋ ଏବଂ ଘୃଣା ମନ୍ତବ୍ୟ ବନ୍ଦ ଲାଗି ପ୍ଲାଟ୍‌ଫର୍ମ ଉପରେ ନଜର ରଖିବା ନିମନ୍ତେ ହରିୟାଣା ସରକାର ଏକ କମିଟି ଗଠନ କରିଛନ୍ତି। ଉକ୍ତ କମିଟି ସମସ୍ତ ଆନୁଷଙ୍ଗିକ ସଂସ୍ଥା ସହ ସମନ୍ବୟ ରକ୍ଷାକରି ଶାନ୍ତି ବଜାୟ ରଖିବା ଦିଗରେ କାର୍ଯ୍ୟ କରିବ।

Leave a Reply

Your email address will not be published. Required fields are marked *

You missed